ରାଉରକେଲା: ଜାତୀୟ ରାଜପଥ ୩୨୦ D ର ନିର୍ମାଣ କାର୍ଯ୍ୟ ୭ ତାରିଖରୁ।। ପ୍ରତିଶ୍ରୁତି ର ୯ ଘଣ୍ଟା ପରେ ରାସ୍ତା ରୋକ ହଟିଲା।

0 98

ଅସମ୍ପୂର୍ଣ୍ଣ NH-320D ରାସ୍ତାକୁ ନେଇ ତୀବ୍ର ଅସନ୍ତୋଷ, ଜରାଇକେଲାରେ ୯ ଘଣ୍ଟା ରାସ୍ତାରୋକ
ନଭେମ୍ବର ୭ରୁ ପିଚୁ କାମ ଆରମ୍ଭ ପାଇଁ ଲିଖିତ ପ୍ରତିଶ୍ରୁତି, ବିଜେଡି ନେତୃତ୍ୱରେ ଆନ୍ଦୋଳନକୁ ଜନସମର୍ଥନ
ରାଉରକେଲା: ୨୯/୧୦ (ସତ୍ୟାନ୍ୟୁଜ) ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବା ଜାତୀୟ ରାଜପଥ NH-320D ରାସ୍ତା ନିର୍ମାଣକୁ ନେଇ ଗୁରୁବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଉରକେଲାରୁ ବିସ୍ରା ବ୍ଲକ୍‌ର ଜରାଇକେଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଅଧାପନ୍ତରିଆ ହୋଇ ପଡ଼ିଥିବା ପ୍ରତିବାଦରେ ଜରାଇକେଲା ମୁଖ୍ୟ ବଜାର ନିକଟରେ ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ସକାଳ ପ୍ରାୟ ୬ଟା ୩୦ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୀର୍ଘ ୯ ଘଣ୍ଟା ଧରି ଚାଲିବା ପରେ ଅପରାହ୍ନ ୩ଟା ୩୦ରେ ଶେଷ ହୋଇଥିଲା।
ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସ୍ଥାନୀୟ ନେତା ସୋମନାଥ ରାହାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ, ଯୁବକ ଓ ବ୍ୟବସାୟୀ ସାମିଲ ହୋଇ ରାସ୍ତା ନିର୍ମାଣ କାମ ତୁରନ୍ତ ଶେଷ କରିବାକୁ ଦାବି କରିଥିଲେ। ବିରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ମଧ୍ୟ ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣରେ ଦୀର୍ଘଦିନ ଧରି ବିଳମ୍ବ ଯୋଗୁଁ ଲୋକଙ୍କୁ କାଦୁଅ ଓ ଜଳାର୍ଣ୍ଣବ ରାସ୍ତାରେ ଯାତାୟାତ କରିବାକୁ ପଡ଼ୁଛି। ଏହାଦ୍ୱାରା ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ଦୋକାନକୁ ଗ୍ରାହକଙ୍କ ଆଗମନ କମିଥିବାରୁ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଥିବା ବ୍ୟବସାୟୀମାନେ କହିଥିଲେ।
ଖବର ପାଇ ଜାତୀୟ ରାଜପଥ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅମିତ କୁମାର ଟୁଡୁ ଆନ୍ଦୋଳନସ୍ଥଳରେ ପହଞ୍ଚି ବିଧାୟକ ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ନଭେମ୍ବର ୭ ତାରିଖରୁ ରାସ୍ତାର ପିଚୁ କାମ ଆରମ୍ଭ କରାଯିବ ବୋଲି ସେ ଆନ୍ଦୋଳନକାରୀଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପକ୍ଷରେ, ଦୀର୍ଘ ସମୟ ଧରି ରାସ୍ତାରୋକ ଯୋଗୁଁ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟରର ଲମ୍ବା ଧାଡ଼ି ଲାଗିଥିଲା। ତେବେ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯାନବାହନକୁ ଯାତାୟାତ ପାଇଁ ଅନୁମତି ଦିଆଯାଇଥିଲା।
ଜାତୀୟ ରାଜପଥ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀମାନେ ଅପରାହ୍ନରେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ। ତେବେ ନଭେମ୍ବର ୭ ତାରିଖରୁ ପ୍ରକୃତରେ ପିଚୁ କାମ ଆରମ୍ଭ ହେଉଛି କି ନାହିଁ, ତାହାକୁ ଏବେ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.