ରାଉରକେଲା : ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ସତର୍କ।। ଆର ଏମ ସି କମିଶନରଙ୍କ ବିଭିନ୍ନ ଅଞ୍ଚଳରେ ସମୀକ୍ଷା।
ସାଇକ୍ଲୋନ୍ ଅର୍ଣ୍ଣବ ପ୍ରଭାବରେ ବର୍ଷା ଆଶଙ୍କା। ଜଳବନ୍ଦୀ ସ୍ଥିତି ପରଖିଲେ ଆରଏମସି କମିଶନର
ରାଉରକେଲା, ଅକ୍ଟୋବର ୨୯:
(ସତ୍ୟାନ୍ୟୁଜ) ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ତତ୍ପର ହୋଇଛି ରାଉରକେଲା ମହାନଗର ନିଗମ । ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ନେଇ ସୂଚନା ମିଳିଛି।
ଆଜି ସନ୍ଧ୍ୟାରେ ଆରଏମସି କମିଶନର ଦିନା ଦସ୍ତଗିର ଟିମ୍ବର କଲୋନୀ, ରେଲୱେ କଲୋନୀ ଏବଂ ମାଲଗୋଦାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ପରିଦର୍ଶନ ସମୟରେ ସମ୍ଭାବ୍ୟ ଜଳବନ୍ଦୀ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ଅଞ୍ଚଳଗୁଡ଼ିକରେ ସତର୍କ ରହିବାକୁ ଉପସ୍ଥିତ ଆରଏମସି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନର।
ଯଦି ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜେ, ତେବେ ଜମି ରହିଥିବା ପାଣିକୁ ତୁରନ୍ତ ନିଷ୍କାସନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସମ୍ଭାବ୍ୟ ବର୍ଷା ସମୟରେ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଏବଂ ତ୍ୱରିତ ପଦକ୍ଷେପ ଉପରେ ଆରଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ଆଜି ସକାଳୁ ରାଉରକେଲାରେ ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ମଧ୍ୟ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆ ଯାଉଛି।