ବାଲେଶ୍ୱର : ଦୁଃଖଦ ଘଟଣା।। ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଦୁଇ ଭାଇ ମୃତ।। ସମଗ୍ର ଅଞ୍ଚଳରେ ଶୋକର ଛାୟା।

0 69

ଦଶହରାରେ ଅଘଟଣ! ସୁବର୍ଣ୍ଣରେଖା ନଦୀରେ ବୁଡ଼ି ଦୁଇ ଭାଇ ମୃତ
ବାଲେଶ୍ୱର, ଅକ୍ଟୋବର ୨୨ (ସତ୍ୟାନ୍ୟୁଜ): ଦଶହରା ଖୁସିରେ ଖେଳିଗଲା ଦୁଃଖର ଛାୟା। ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ମାନପୁର ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀ ଘାଟରେ ଘଟିଛି।
ମୃତକ ଦୁଇ ଭାଇ ହେଉଛନ୍ତି ତଳଧାନ୍ଦା ଗ୍ରାମର ସ୍ୱର୍ଗତ ମଧୁସୂଦନ ଗିରିଙ୍କ ବଡ଼ ପୁଅ ରମ୍ୟରଞ୍ଜନ ଗିରି (୨୧) ଏବଂ ସାନ ପୁଅ ପ୍ରିୟରଞ୍ଜନ ଗିରି (୧୮)।
ସୂଚନା ଅନୁଯାୟୀ, ଦୁଇ ଭାଇ ମାମୁଘରକୁ ବୁଲିବାକୁ ଯାଇଥିଲେ। ବୁଧବାର ମଧ୍ୟାହ୍ନରେ ସେମାନେ କିଛି ସ୍ଥାନୀୟ ସାଙ୍ଗଙ୍କ ସହ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସାନ ଭାଇ ପ୍ରିୟରଞ୍ଜନ ନଦୀ ସ୍ରୋତରେ ଭାସିଯାଇ ଗଭୀର ଜଳରେ ବୁଡ଼ିଯାଇଥିଲେ।
ସାନ ଭାଇକୁ ବୁଡ଼ିଯାଉଥିବା ଦେଖି ବଡ଼ ଭାଇ ରମ୍ୟରଞ୍ଜନ ତାଙ୍କୁ ଉଦ୍ଧାର କରିବାକୁ ନଦୀକୁ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ଗଭୀର ଜଳରେ ବୁଡ଼ିଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବାଲିଆପାଳ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ଭାଇଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ।
ଏକାଠି ଜନ୍ମମାଟିରୁ ମାମୁଘରକୁ ଆସିଥିବା ଦୁଇ ଭାଇଙ୍କ ଏଭଳି ଅକାଳ ମୃତ୍ୟୁ ଖବରରେ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗଭୀର ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.