Writing
ଲହୁଣୀପଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା: ମା’-ପୁଅଙ୍କ ସମେତ ୩ ମୃତ, ୪ ଗୁରୁତର
ରାଉରକେଲା, ଅକ୍ଟୋବର ୨୧ (ସତ୍ୟା ନ୍ୟୁଜ): ଲହୁଣୀପଡ଼ା ଥାନା ଅନ୍ତର୍ଗତ କଲେଇପୋଷ କଟା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା’-ପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଲୁହା ବୋଝେଇ ହାଇୱା ଓ ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁଃଖଦ ଘଟଣା ଘଟିଛି।
ମୃତକମାନେ ହେଲେ ତଳଖଣ୍ଡାଧାର ବୁଡ଼ାଭୂଇଁ ଗ୍ରାମର ମାଗଦାଲି କେର୍କେଟା (୩୭), ତାଙ୍କ ୮ ବର୍ଷର ପୁଅ ସରୋଜ କେର୍କେଟା ଏବଂ କାର୍ ଚାଳକ ସୁବାସ କେର୍କେଟା (୩୮)। ଦୁର୍ଘଟଣାରେ ରାହୁଲ କେର୍କେଟା (୮), ଏମଲେନ ମୁଣ୍ଡା (୨୬) ଓ ଜୁନିଅନି ମୁଣ୍ଡା (୬୧)ଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି।
ଆହତମାନଙ୍କୁ ପ୍ରଥମେ ଲହୁଣୀପଡ଼ା ଡାକ୍ତରଖାନା ଏବଂ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଲହୁଣୀପଡ଼ା ଥାନା ଅଞ୍ଚଳର ଉପରଖଣ୍ଡାଧାର ଓ ତଳଖଣ୍ଡାଧାର ବୁଡ଼ାଭୂଇଁ ଗ୍ରାମର ଦୁଇ ପରିବାରର ସଦସ୍ୟମାନେ ଏକ ଭଡ଼ା କାର୍ରେ ପୂଜା ଦେଖିବା ପାଇଁ ବୁଧବାର ସକାଳେ ରାଉରକେଲା ଆସିଥିଲେ। ସହରର ବିଭିନ୍ନ ପୂଜାମଣ୍ଡପ ବୁଲିବା ସହ ମାର୍କେଟିଂ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ କଲେଇପୋଷ କଟା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଲହୁଣୀପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱା (OD-14-AI-8766) ଓ କାର୍ (OD-14-H-9782)କୁ ଜବତ କରିଛି।
ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଖବର ଲେଖା ହେବା ବେଳକୁ ରାସ୍ତା ଅବରୋଧ ଜାରି ରହିଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।