ରାଉରକେଲାରେ ଚୋରି XUV ଉଦ୍ଧାର, ଅଭିଯୁକ୍ତ ଗିରଫ; ଗାଡ଼ି ସହ ଦୁଇଟି ଚୋରି ମୋବାଇଲ ଜବତ।
ରାଉରକେଲା, ଅକ୍ଟୋବର ୨୧:
(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ଚୋରି ମାମଲାର ତଦନ୍ତ କରି ଉଦିତନଗର ଥାନା ପୁଲିସ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଚୋରି ହୋଇଥିବା ଏକ ମହିନ୍ଦ୍ରା XUV700 କାର ସହ ଦୁଇଟି ମୋବାଇଲ ଫୋନ୍ ଉଦ୍ଧାର କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଗତ ୧୯ ଅକ୍ଟୋବରରେ ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ନାରାୟଣୀ ରେସିଡେନ୍ସିଆଲ କମ୍ପ୍ଲେକ୍ସରୁ OD-14AG-1044 ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ମହିନ୍ଦ୍ରା XUV700 ଡିଜେଲ କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
ଏହି ଘଟଣାର ତଦନ୍ତ କରି ପୁଲିସ ରାଉରକେଲାର ସରନା ଛକରୁ ଅଭିଯୁକ୍ତ ଗୁଲଫାମ ଅନସାରୀ ଙ୍କୁ ଧରିବା ସହ ଚୋରି ହୋଇଥିବା କାରଟିକୁ ଉଦ୍ଧାର କରିଥିଲେ।
ପଚରାଉଚରା ସମୟରେ ରାଉରକେଲାର ହୀରାକୁଦ କଲୋନୀର ଏକ ଘରୁ ଦୁଇଟି ମୋବାଇଲ ଫୋନ୍ ଚୋରି ଘଟଣାରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ଉକ୍ତ ଦୁଇଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଥିଲା। ଜବତ ମୋବାଇଲ ମଧ୍ୟରେ ଗୋଟିଏ ମ୍ୟାଟ୍ ବ୍ଲାକ୍ ରଙ୍ଗର POCO C65 ଏବଂ ଅନ୍ୟଟି କ୍ରିଷ୍ଟାଲ ବ୍ଲୁ ରଙ୍ଗର Realme 5 ରହିଛି।