ଜଳେଶ୍ୱର: ପୂର୍ବ ଶତ୍ରୁତାରୁ ଭୟଙ୍କର କାଣ୍ଡ।। ଜେଲ୍ ରୁ ଆସି ଅଭିଯୁକ୍ତ ମାନେ କାର୍ , ବାଇକ୍ ରେ ନିଆଁ ଲଗାଇଲେ।

0 62

ପୂର୍ବ ଶତ୍ରୁତାରୁ ଭୟଙ୍କର କାଣ୍ଡ! ଘର, କାର୍ ଓ ବାଇକ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ୪ ଦୁର୍ବୃତ୍ତ
ବାଲେଶ୍ୱର ; ୧୯/୧୦
(ସତ୍ୟାନ୍ୟୁଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଭୟଙ୍କର କାଣ୍ଡ। ଘର, କାର୍ ଓ ବାଇକ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ୪ ଜଣ ଦୁର୍ବୃତ୍ତ। ତେବେ ପେଟ୍ରୋଲର ପ୍ରବଳ ଗନ୍ଧରେ ଘରେ ଶୋଇଥିବା ପରିବାର ଲୋକଙ୍କ ନିଦ ଭାଙ୍ଗିଯିବାରୁ ଅଳ୍ପକେ ବର୍ତ୍ତିଗଲା ଧନଜୀବନ। ନିଆଁ ଲଗାଇବାର ପୂରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି।
ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କେଶପୁରା ଗ୍ରାମର କମଳଲୋଚନ ସାହୁଙ୍କ ଘରେ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ପାଇକସିଦା ଗ୍ରାମର ଦିବ୍ୟ ସ୍ୱରୂପ ସାହୁ, ସୁରଜ ଜେନାଙ୍କ ସମେତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ବିଳମ୍ବିତ ରାତିରେ କମଳଲୋଚନଙ୍କ ଘର ସମ୍ମୁଖରେ ଥିବା ଦୁଇଟି କାର୍‌ର କାଚ ଭାଙ୍ଗିବା ସହ ଗାଡ଼ିଗୁଡ଼ିକୁ କ୍ଷତିଗ୍ରସ୍ତ କରିଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଦିବ୍ୟ ସ୍ୱରୂପ ସାହୁ ଓ ବଳରାମ ସାହୁଙ୍କୁ ଗିରଫ କରି ଜେଲ୍‌ ପଠାଯାଇଥିଲା। ସେମାନେ କିଛି ଦିନ ତଳେ ଜେଲ୍‌ରୁ ଫେରିଥିବା କୁହାଯାଉଛି।
ଅଭିଯୋଗ ଅନୁଯାୟୀ, ଏହି ପୂର୍ବ ଘଟଣାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଦିବ୍ୟ ସ୍ୱରୂପ ସାହୁ, ସୁରଜ ଜେନାଙ୍କ ସମେତ ଚାରି ଜଣ ଦୁର୍ବୃତ୍ତ କମଳଲୋଚନଙ୍କ ଘର, ଘର ସମ୍ମୁଖରେ ରଖାଯାଇଥିବା କାର୍ ଓ ବାଇକ୍‌ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ଘରେ ଶୋଇଥିବା ପରିବାର ଲୋକେ ପେଟ୍ରୋଲର ପ୍ରବଳ ଗନ୍ଧ ପାଇ ଉଠିପଡ଼ିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ପରିବାର ଲୋକେ ନିଜେ ପାଣି ଢାଳି ନିଆଁ ଲିଭାଇବା ସହ ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନ୍ୟପକ୍ଷରେ, ନ୍ୟାୟ ଦାବିରେ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ପୁଣି ଅଭିଯୋଗ କରାଯାଇଛି। ନିଆଁ ଲଗାଇବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବାରୁ ପୋଲିସ ତଦନ୍ତରେ ଏହା ଗୁରୁତ୍ୱପୂର୍ଣ୍ଣ ସୁରାକ୍ ହୋଇପାରେ।
ଆଉଟ୍ରୋ: ତେବେ ପୂର୍ବ ଶତ୍ରୁତାରୁ ଏଭଳି ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave A Reply

Your email address will not be published.