ରାଉରକେଲା : ୧୫/୧୦
(ସତ୍ୟାନ୍ୟୁଜ) ଆଗକୁ ଆସୁଛି ଦୁର୍ଗାପୂଜା। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେବା ପୂର୍ବକ ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ମିଠା ଦୋକାନଗୁଡିକରେ ଚଢ଼ାଉକୁ ଜୋରଦାର୍ କରାଯାଉଛି। ଏହି କ୍ରମରେ ଆଜି କୋଏଲ ନଗରର M/S Ganguram Sweets ଏବଂ ସେକ୍ଟର-୧୯ ରେ ଥିବା M/s Om Sai Sweets and Snacks ଦୋକାନରେ ଚଢ଼ାଉ କରାଯାଇଛି।
ଚଢାଉ ସମୟରେ ପ୍ରାୟ ୪୫ କେଜି ମିଠା ଓ ଜଳଖିଆ ନଷ୍ଟ କରାଯାଇଥିଲା। ଏହା ସହ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ ଯାଉଥିବାରୁ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନକୁ ସାମୟିକ ଭାବେ ବନ୍ଦ କରାଯାଇଛି।ଏଥିସହ ଖାଦ୍ୟର ଗୁଣବତ୍ତା ଯାଂଚ ପାଇଁ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି।
ପୂର୍ବରୁ ମଧ୍ୟ ସମ୍ପୃକ୍ତ ଦୋକାନଗୁଡିକୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସମ୍ପୃକ୍ତ ଦୋକାନଗୁଡ଼ିକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହ ଦୁଇଟି ଦୋକାନରୁ ଜରିମାନା ମଧ୍ୟ ଆଦାୟ କରାଯିବା ସହ ନୋଟିସ୍ ଜାରି କରାଯାଇଥିଲା। ତଥାପି ସ୍ଵଚ୍ଛତା ଓ ପରିମଳ କ୍ଷେତ୍ରରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ଆଜି ପୁନର୍ବାର ଚଢ଼ାଉ କରାଯାଇ ଉଭୟ ଦୋକାନକୁ ସାମୟିକ ଭାବେ ବନ୍ଦ କରାଯାଇଛି।