ବଣାଇରେ ୧୨ଟିକିଆ ହାତୀପଲକୁ ନେଇ ଆତଙ୍କ!
ବଣାଇ : ୧୮/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ନିକଟ ଧରଣୀଧରପାଲି ଅଞ୍ଚଳରେ ୧୨ଟିକିଆ ହାତୀପଲକୁ ଦେଖି ଆଖପାଖ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଏହି ହାତୀପଲରେ ରହିଛନ୍ତି ୪ଟି ଛୁଆ ହାତୀ, ୪ଟି ମାଈ ହାତୀ ଏବଂ ୪ଟି ଦନ୍ତା ହାତୀ। ପୂର୍ବରୁ ଦୁଇଟି ଦନ୍ତା ହାତୀଙ୍କ ଉତ୍ପାତକୁ ନେଇ ବନ ବିଭାଗ ଚିନ୍ତାରେ ଥିବା ବେଳେ ଏବେ ୧୨ଟିକିଆ ହାତୀପଲର ଆଗମନ ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି।
ବର୍ତ୍ତମାନ ହାତୀପଲ ନିକଟସ୍ଥ ଜଙ୍ଗଲରେ ରହିଥିବା ବେଳେ ହାତୀଙ୍କୁ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ଼ ଜମୁଛି।
ଅନ୍ୟପଟେ ବନ ବିଭାଗ ହାତୀପଲର ଗତିବିଧି ଉପରେ କଡ଼ା ନଜର ରଖିଛି। ସନ୍ଧ୍ୟା ହେବା ପରେ ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯିବ।
ତେବେ ହାତୀପଲ ଥିବା ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ସହ ହାତୀଙ୍କ ନିକଟକୁ ନଯିବା ଏବଂ ସେମାନଙ୍କୁ ଉତ୍ତ୍ୟକ୍ତ ନକରିବାକୁ ପରାମର୍ଶ ଦିଆଯାଉଛି।