ବିରମିତ୍ରପୁର : ଜାତୀୟ ରାଜପଥ ସହ ସହର ର ବିଭିନ୍ନ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ।। ଯାତାୟାତ ସୁବିଧା ଏବଂ ଦୁର୍ଘଟଣା ରୋକିବାକୁ ମ୍ୟୁନିସପାଲିଟି ର ପଦକ୍ଷେପ।

0 100

ବିରମିତ୍ରପୁରରେ ଜବରଦଖଲ ଓ ବେଆଇନ ପାର୍କିଂ ବିରୋଧରେ ପୌରପାଳିକାର କଡ଼ା କାର୍ଯ୍ୟାନୁଷ୍ଠାନ | ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ
ବିରମିତ୍ରପୁର, ୧ ଅକ୍ଟୋବର (ସତ୍ୟାନ୍ୟୁଜ):
ବିରମିତ୍ରପୁର ସହରରେ ଟ୍ରାଫିକ୍ ସମସ୍ୟା ଦୂର କରିବା ସହ ଯାତାୟାତକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ଅଣ୍ଟା ଭିଡ଼ିଛି ବିରମିତ୍ରପୁର ପୌରପାଳିକା। ସହରକୁ ଜବରଦଖଲମୁକ୍ତ କରିବା ଏବଂ ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ। ରାସ୍ତା କଡ଼ରେ ବେଆଇନ ପାର୍କିଂ ଓ ଜବରଦଖଲ କରି ଯାତାୟାତରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ପୌରପାଳିକା ପକ୍ଷରୁ ନିଆଯାଇଛି ପଦକ୍ଷେପ।
ବିରମିତ୍ରପୁର ସହର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ସମେତ ପୂର୍ତ୍ତ ବିଭାଗର ବିଭିନ୍ନ ରାସ୍ତାରେ ଦୀର୍ଘଦିନ ଧରି ଜବରଦଖଲ ସମସ୍ୟା ଲାଗି ରହିଛି। ରାସ୍ତା କଡ଼ରେ ଗାଡ଼ିମୋଟର ରଖିବା, ଠେଲା ଦୋକାନ ଲଗାଇବା ଏବଂ ବିଭିନ୍ନ ସାମଗ୍ରୀ ରଖି ରାସ୍ତା ଅବରୋଧ କରିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ଏହାଦ୍ୱାରା ଦୈନନ୍ଦିନ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଏପରିକି ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ନେଇ ଚିନ୍ତା ପ୍ରକାଶ ପାଇଛି।
ଏହି ସମସ୍ୟାର ସମାଧାନ ନିମନ୍ତେ ଆଜି ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ଯାଞ୍ଚ ଓ ଉଚ୍ଛେଦ ଅଭିଯାନ କରାଯାଇଥିଲା। ରାସ୍ତା କଡ଼ରେ ଦୀର୍ଘ ସମୟ ଧରି ପାର୍କିଂ କରାଯାଉଥିବା ଗାଡ଼ିମୋଟରକୁ ହଟାଇବା ସହ ରାସ୍ତା ଅବରୋଧ କରି ଠେଲା ଦୋକାନ ଲଗାଇଥିବା ବ୍ୟକ୍ତିମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ଭବିଷ୍ୟତରେ ରାସ୍ତା ଅବରୋଧ ନକରିବାକୁ ସେମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି।
ପୌରପାଳିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଅଭିଯାନ କେବଳ ଜାତୀୟ ରାଜପଥରେ ସୀମିତ ରହିବ ନାହିଁ। ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତାରେ ମଧ୍ୟ ଜବରଦଖଲ ଓ ବେଆଇନ ପାର୍କିଂ ବିରୋଧରେ ନିୟମିତ ଭାବେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ, ଦୁର୍ଘଟଣା ହ୍ରାସ ଏବଂ ସାଧାରଣ ଲୋକଙ୍କ ପାଇଁ ନିରାପଦ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ଅଭିଯାନ କେତେଦୂର ସଫଳ ହେଉଛି ଏବଂ ଆଗାମୀ ଦିନରେ ସହରର ରାସ୍ତାଗୁଡ଼ିକ କେତେ ପରିମାଣରେ ଜବରଦଖଲମୁକ୍ତ ହୋଇପାରୁଛି, ତାହା ଉପରେ ଏବେ ସହରବାସୀଙ୍କ ନଜର ରହିଛି।

Leave A Reply

Your email address will not be published.