ଭଦ୍ରକ:୧୬/୯(ସତ୍ୟା ନ୍ୟୁଜ) ଭଦ୍ରକରେ ପୁଣି ଉଗ୍ର ହେଲା ସାହି ବିବାଦ। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ କୁକୁଡ଼ା ଦୋକାନୀଙ୍କ ମୃତ୍ୟୁ। ବାପାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହେଲେ ପୁଅ। ଘଟଣାକୁ ନେଇ ଭଦ୍ରକରେ ଚାଞ୍ଚଲ୍ୟ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆ ଜେନା ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ସୂଚନା ଅନୁସାରେ, ଦୁଇ ସାହି ମଧ୍ୟରେ ପୂର୍ବରୁ ରହିଥିଲା ବିବାଦ। ତେବେ କୌଣସି କାରଣକୁ ନେଇ ପୁଣିଥରେ ଝଗଡ଼ା ହେବା ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା।
ଅଭିଯୋଗ ଅନୁସାରେ, ଗୋଟିଏ ପକ୍ଷର ୩୦ ରୁ ଅଧିକ ଲୋକ ଆସି କୁକୁଡ଼ା ଦୋକାନୀ ଲକ୍ଷ୍ମୀଧର ଜେନାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।
ବାପାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଦୁଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ଲକ୍ଷ୍ମୀଧର ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ପର୍ଶୁରାମ ଜେନା ଗୁରୁତର ଆହତ ହୋଇଥିଲେ।
ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପର୍ଶୁରାମଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।
ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ କାରଣ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପୋଲିସର ତଦନ୍ତ ଚାଲିଛି।