ରାଉରକେଲା: ୪/୯ (ସତ୍ୟାନ୍ୟୁଜ) ରାଉରକେଲା ରେଲୱେ ଷ୍ଟେସନ ରେ ଜଣେ ଯୁବତୀ ଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣେ ରେଲୱେ କର୍ମଚାରୀ ହୋଇଥିବା ବେଳେ ପୋଲିସ୍ ଉକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ବାବଦରେ ସରକାରୀ ରେଳବାଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଥାନା ଅଞ୍ଚଳର ଜଣେ ୨୦ ବର୍ଷୀୟ ଯୁବତୀ ଗତକାଲି ବେଙ୍ଗାଲୁର୍ ଯିବା ଲାଗି ଷ୍ଟେସନ୍ ରେ ପହଞ୍ଚି ଥିଲେ। ତାଙ୍କ ପାଖରେ କନଫର୍ମ୍ ଟିକେଟ ନଥିବାରୁ ସେ ଷ୍ଟେସନ୍ ର ମୁଖ୍ୟ ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ଷ୍ଟେସନ୍ ରେ କାର୍ଯ୍ୟରତ ଭାଲଭ୍ ମ୍ୟାନ୍ କପିଳେଶ୍ୱର ସିଂ ତାଙ୍କୁ କନଫର୍ମ୍ ଟିକେଟ୍ କରି ଦେବାର ପ୍ରତିଶ୍ରୁତି ଦେଇ ୧ ନମ୍ୱର୍ ପ୍ଲାଟଫର୍ମ ପାର୍ଶ୍ୱରେ ଥିବା ଅଫିସର୍ ରେଷ୍ଟ୍ ହାଉସ୍ ନିକଟକୁ ନେଇ ଯାଇଥିଲେ। ସେଠାରେ ଥିବା ଭାଲଭ୍ ରୁମ୍ ରେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଯୁବତୀ ଜିଆରପି ଥାନାରେ କରିଛନ୍ତି । ଅଭିଯୋଗ ପାଇବା ପରେ ରେଳବାଇ ପୋଲିସ୍ ତଦନ୍ତ କରି ରେଲୱେ କର୍ମଚାରୀ ୫୨ ବର୍ଷୀୟ କପିଳେଶ୍ୱର ସିଂ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ରାଉରକେଲା ରେଳୱେ ଷ୍ଟେସନ୍ ପରି ଏକ ଜନଗହଳି ସ୍ଥାନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।