ରାଉରକେଲା : ମଙ୍ଗଳ ଓରାମ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ।। ଅଢ଼େଇ ବର୍ଷ ପରେ ଧରାପଡିଲେ ଦୁଇ ଅଭିଯୁକ୍ତ।। ଲୁଟ୍ ମହିନ୍ଦ୍ରା ଭ୍ୟାନ୍ ଜବତ।
ରାଉରକେଲା ପୋଲିସ ୩୦ ମାସ ପୁରୁଣା ହତ୍ୟା ମାମଲାର ପର୍ଦ୍ଦାଫାସ କଲା। ଦୁଇ ଅଭିଯୁକ୍ତ ଗିରଫ।
ରାଉରକେଲା: ୨୭/୮ (ସତ୍ୟାନ୍ୟୁଜଆଲର୍ଟ)
ରାଉରକେଲା ପୋଲିସ ୩୦ ମାସ ପୁରୁଣା ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଓରଫ ସର୍ଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)।
ପୋଲିସ ସୂଚନା ଅନୁଯାୟୀ, ବିସ୍ରା ଥାନା ଅଧୀନ ଜାମବେର୍ଣ୍ଣା ଅଞ୍ଚଳର ମଙ୍ଗଳ ଓରାମ ୨୦୨୪ ମସିହା ଫେବୃଆରୀ ୨୮ ତାରିଖରେ ମହିନ୍ଦ୍ରା ପିକ୍-ଅପ୍ ଗାଡ଼ି ନମ୍ବର OD-14-Q-3648 ନେଇ ଝିରପାଣି ସାପ୍ତାହିକ ହାଟକୁ ଯାଇଥିଲେ। ସେଠାରୁ ମାଲ ପରିବହନ ପାଇଁ ଗାଡ଼ି ଭଡ଼ା କରିବା ବାହାନାରେ ଅଭିଯୁକ୍ତ ମାନେ ତାଙ୍କୁ ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ପରେ KTH ଛକ ନିକଟରେ ଚା’ରେ ଅଧିକ ନିଦ୍ରା ଔଷଧ ମିଶାଇ ମଙ୍ଗଳଙ୍କୁ ପିଆଇ ଥିବା ଅଭିଯୋଗ ହୋଇଛି। ସେ ଅଚେତ ହୋଇଯିବା ପରେ ଅଭିଯୁକ୍ତମାନେ ତାଙ୍କୁ ଗାଡ଼ି ସହ ଝାଡ଼ଖଣ୍ଡ ଅଭିମୁଖେ ନେଇଯାଇଥିଲେ।
ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା ଜଲଡେଗା ଥାନା ଅଧୀନ ଖରୱାଗଡ଼ା ନିକଟ ଏକ ଜଳମଗ୍ନ ଚାଷଜମିରୁ ପରେ ମଙ୍ଗଳଙ୍କ ଅଜଣା ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତରେ ତାଙ୍କ ପରିଚୟ ମିଳିବା ପରେ ଝିରପାଣି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା।
ପୋଲିସର ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ମଙ୍ଗଳଙ୍କୁ ଜଳମଗ୍ନ ଚାଷଜମିରେ ଫିଙ୍ଗି ଦେଇଥିଲେ। ସେଠାରେ ବୁଡ଼ିଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ପରେ ଅଭିଯୁକ୍ତମାନେ ପିକ୍-ଅପ୍ ଗାଡ଼ି ନେଇ ପଳାଇ ଯାଇଥିଲେ ଏବଂ ଏହାକୁ ୧ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି କରିଥିବା ପୋଲିସ କହିଛି।
ପୋଲିସ ଚୋରି ହୋଇଥିବା ମହିନ୍ଦ୍ରା ପିକ୍-ଅପ୍ ଗାଡ଼ିକୁ ଉଦ୍ଧାର କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କର ପୂର୍ବରୁ ଚୋରି ଓ ଡକାୟତି ଭଳି ମାମଲାରେ ଅପରାଧିକ ପୃଷ୍ଠଭୂମି ଥିବା ପୋଲିସ ସୂଚନା ଦେଇଛି।
ମାମଲାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ ଚୋରି ହୋଇଥିବା ଗାଡ଼ି ସମ୍ପର୍କରେ ତଥ୍ୟ ସଂଗ୍ରହ ନେଇ ପୋଲିସର ତଦନ୍ତ ଜାରି ରହିଛି।
ଦୀର୍ଘ ସମୟ ଧରି ଅସମାହିତ ରହିଥିବା ଗୁରୁତର ଅପରାଧର ତଦନ୍ତ ଜାରି ରଖି ଦୋଷୀଙ୍କୁ ଆଇନ ଅନୁଯାୟୀ ନ୍ୟାୟର ସମ୍ମୁଖୀନ କରାଇବାକୁ ରାଉରକେଲା ପୋଲିସ ପ୍ରତିବଦ୍ଧ ବୋଲି କହିଛି।