ରାଉରକେଲା : ରେଳ ଲାଇନ୍ ରେ ହାତୀ ଆସି ଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ।। ବନବିଭାଗ ଏବଂ ରେଳବାଇ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ।

0 67

ବନ୍ଧମୁଣ୍ଡା ରେଳ ୟାର୍ଡରେ ପୁଣି ଜଙ୍ଗଲୀ ହାତୀ, ଅଧଘଣ୍ଟା ଟ୍ରେନ୍ ଚଳାଚଳ ବନ୍ଦ।
ବନ୍ଧମୁଣ୍ଡା: ୨୭/୮
(ସତ୍ୟାନ୍ୟୁଜ) ରାଉରକେଲା ବନ୍ଧମୁଣ୍ଡା ରେଳ ୟାର୍ଡରେ ପୁଣି ଥରେ ଜଙ୍ଗଲୀ ହାତୀ ପ୍ରବେଶ କରିବାରୁ ଗତକାଲି ସକାଳେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା।
ବୁଧବାର ନୂଆଗାଁ ବ୍ଲକ୍‌ର ଲୋହାଣ୍ଡା ଅଞ୍ଚଳରୁ ଏକ ଜଙ୍ଗଲୀ ହାତୀ ଜବାଘାଟ ରାସ୍ତା ଦେଇ ହଠାତ୍ ବନ୍ଧମୁଣ୍ଡା ରେଳ ୟାର୍ଡରେ ପ୍ରବେଶ କରିଥିଲା। ହାତୀ ରେଳ ଅଞ୍ଚଳରେ ପଶିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ରେଳ ପ୍ରଶାସନକୁ ସୂଚନା ଦିଆଯାଇଥିଲା।
ହାତୀର ସୁରକ୍ଷା ଏବଂ ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ଅଧଘଣ୍ଟା ଧରି ରାଉରକେଲା-ହାୱଡ଼ା ଓ ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଥିଲା।
ଏହି ସମୟରେ ରେଳ ପ୍ରଶାସନ ଓ ବନ ବିଭାଗର ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ପରେ ହାତୀଟି ଡୁମର୍ତ୍ତା ଦିଗକୁ ଚାଲିଯାଇ ବିସ୍ରା ବନାଞ୍ଚଳର ନର୍ଥ ଚିରୁବେଡ଼ା ଜଙ୍ଗଲରେ ପ୍ରବେଶ କରିଥିଲା। ହାତୀଟି ଜଙ୍ଗଲ ଆଡ଼କୁ ଚାଲିଯିବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସୂଚନା ଅନୁସାରେ, ଗତ ପ୍ରାୟ ଦୁଇ ମାସ ଧରି ବନ୍ଧମୁଣ୍ଡା, ଡୁମର୍ତ୍ତା, ଆରଏସ୍ କଲୋନୀ,
ଜବାଘାଟ ଓ କପାଟମୁଣ୍ଡା ସମେତ ଆଖପାଖ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଲଗାତାର ଚଳପ୍ରଚଳ ଦେଖିବାକୁ ମିଳୁଛି। ହାତୀ ବାରମ୍ବାର ଜନବସତି ଓ ରେଳପଥ ନିକଟକୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି।
ରାଉରକେଲା ବନଖଣ୍ଡର ଏସିଏଫ୍ ଗଜେନ୍ଦ୍ର ପାଲ ସିଂହ ମାଥୁର କହିଛନ୍ତି, ହାତୀ ଓ ଗ୍ରାମବାସୀ—ଉଭୟଙ୍କ ସୁରକ୍ଷା ପାଇଁ ବନ ବିଭାଗ ସତର୍କ ରହିଛି। ହାତୀମାନେ ଯେପରି ଜନବସତି ଅଞ୍ଚଳକୁ ନଆସନ୍ତି ଏବଂ କୌଣସି ଅଘଟଣ ନଘଟେ, ସେଥିପାଇଁ ବିଭାଗ ପକ୍ଷରୁ ଲଗାତାର ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.