ମାର୍ଚ୍ଚ ୫ ତାରିଖ କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ଦୋଳ ମେଲଣ। ଉତ୍ସବ ପାଳନ ନେଇ ସମସ୍ତ ପ୍ରସ୍ତୁତି ଶେଷ।
ରାଉରକେଲା:୩/୩(ସତ୍ୟାନ୍ୟୁଜ) କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ଚଳିତ ବର୍ଷ ଦ୍ଵାଦଶ ଦୋଳ ମେଲଣ ମହୋତ୍ସବ ଧୁମଧାମରେ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାର୍ଚ୍ଚ ୫ ତାରିଖ ଦୋଳ ଉତ୍ସବ ସେକ୍ଟର ୭ ଦୁର୍ଗାପୂଜା ପଡ଼ିଆରେ ସଂଧ୍ୟା ୫ ଟା ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ
ସୋମବାର ଦିନ ସେକ୍ଟର ୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଉକ୍ତ ଦିନ ସକାଳ ୬ଟା ୪୫ ମିନିଟ୍ ରେ ଥାନପତି ଙ୍କ ପୀଠ ରେ ମଙ୍ଗଳ ଆଳତି, ସକାଳ ୯ ଟା ୩୦ ମିନିଟ୍ ସମୟରେ ଥାନପତି ଙ୍କ ପୀଠରେ ଆଜ୍ଞାମାଳ,ବିଜୟ ପତାକା ଓ ଶୁଭଖୁମ୍ବ ସହ ମେଳନ ସ୍ଥଳ ( ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ) କୁ ଯାତ୍ରା କରାଯିବ। ସକାଳ ୧୦ଟା ୩୦ ମିନିଟ୍ ରେ ବିଜୟ ପତାକା ଓ ଶୁଭ ଖୁମ୍ବ ସ୍ଥାପନ ହେବ। ଅପରାହ୍ନ ୪ଟା ୪୫ ମିନିଟ୍ ରେ ଥାନପତି ମେଳନ ସ୍ଥଳ କୁ ବିଜେ କରିବେ । ସଂଧ୍ୟା ୫ଟା ୪୫ ରେ ସଂଧ୍ୟା ଆଳତୀ ସହ ବିଭିନ୍ନ ପୀଠ ରୁ ବିମାନ ମେଳନ ସ୍ଥଳ କୁ ଆଗମନ ହେବ। ସଂଧ୍ୟା ୬ଟା ୪୫ ମିନିଟ୍ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେବେ ଓଡ଼ିଆ ସିନେମାର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିମୟୀ ଦାସ । ତାଙ୍କ ସହିତ ଅନ୍ୟାନ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ ମଧ୍ୟ ଭଜନ ପରିବେଷଣ କରିବେ। ନାମୀଦାମୀ ବ୍ୟାଣ୍ଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହେବ। ଆଜି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଦୋଳ ମେଲଣ ସମିତି ର ସଭାପତି ମୁକ୍ତିକାନ୍ତ ବେହେରା ଚଳିତବର୍ଷ ଦୋଳ ମେଲଣ ନେଇ ସବିଶେଷ ସୂଚନା ପ୍ରଦାନ କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ବାଳ, ସୁଶାନ୍ତ କୁମାର ପ୍ରଧାନ, ଈଶ୍ୱର ଭଞ୍ଜ ଓ ପର୍ଶୁରାମ ପୋଥାଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସମ୍ପର୍କ ସମ୍ପାଦକ ସଞ୍ଜୀବ କୁମାର ନାୟକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ର ପ୍ରାକ୍ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଭକ୍ତ ଓ ରାଉରକେଲାବାସୀ ଦୋଳ ଉତ୍ସବ ରେ ଅଧିକ ସଂଖ୍ୟା ରେ ସାମିଲ ରହି ବିମାନ ରେ ରାଧାକୃଷ୍ଣ ଙ୍କ ସାମୁହିକ ଆଳତି ଦର୍ଶନ ସହ ଅପାର କରୁଣା ଲାଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ମେଳନ ସମିତି ପକ୍ଷରୁ ନିବେଦନ କରାଯାଇଛି।