କାମାକ୍ଷାନଗର:୨୩/୪
(ସତ୍ୟାନ୍ୟୁଜ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ୪ ଜଣ ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ନିକୁଞ୍ଜ ରମଣ ଶତପଥୀ ଓ ତାଙ୍କର ଦୁଇ ପୁଅ- ଭାନୁପ୍ରକାଶ ଶତପଥୀ ଓ ଉଦିତ୍ ସ୍ୱପ୍ନ ଶତପଥୀ।
ଗିରଫ ଅଭିଯୁକ୍ତମାନେ କାମାକ୍ଷାନଗର ଏନଏସିର ତିନି ନମ୍ବର ୱାର୍ଡ ମହିମା ନଗର ସାହିର ବାସିନ୍ଦା। ଗତକାଲି ସକାଳେ ଜନଗଣନା ପାଇଁ ସେମାନଙ୍କ ଘରକୁ ୪ ଜଣ ଜନଗଣନା କର୍ମଚାରୀ ଯାଇଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇ ଥିଲା। ଆକ୍ରମଣକାରୀ ସେମାନଙ୍କ ଉପରକୁ ପଥର ଫିଙ୍ଗି ଥିଲେ। ସେମାନଙ୍କର ଦୁଇଟି ଗାଡ଼ି କୁ ମଧ୍ୟ ପିଟି ଭାଙ୍ଗି ଦେଇଥିଲେ। ଅଭିଯୁକ୍ତମାନଙ୍କ ଆକ୍ରମଣରେ ଜଣେ ମହିଳା ଜନଗଣନା କର୍ମଚାରୀଙ୍କ ମୁହଁରେ ଆଘାତ ଲାଗିଛି। ଅନ୍ୟମାନେ ମଧ୍ୟ ଆହତ ହୋଇଥିଲେ।
ଜନଗଣନା କାର୍ଯ୍ୟରେ କାମାକ୍ଷାନଗର ଏଏନ୍ଏସିର ସର୍କଲ-୨ର ସୁପରଭାଇଜର ଥିବା ମଧୁସ୍ମିତା ବେହେରାଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ଜନଗଣନା କର୍ମଚାରୀ ପ୍ରଥମେ ଅଭିଯୁକ୍ତଙ୍କ ଘରକୁ ଜନଗଣନା କାର୍ଯ୍ୟରେ ଆସିଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ସହଯୋଗ କରି ନଥିଲେ। ତେଣୁ ସେ ତାଙ୍କ ଘରକୁ ମାର୍କର ରେ ନମ୍ବରିଂ ନ କରି ଚକ୍ରେ ଲେଖି ପଳାଇ ଆସିଥିଲେ। ଭୟରେ ସେ ସେଠାକୁ ଆଉ ଏକୁଟିଆ ଯାଇ ନଥିଲେ। ସେହି ଘରୁ ତଥ୍ୟ ସଂଗ୍ରହ ହୋଇପାରୁ ନଥିବାରୁ ସେ ଆଗକୁ ବଢ଼ି ପାରୁ ନଥିଲେ ବା ପରବର୍ତ୍ତୀ ଘରକୁ ଯାଇପାରୁ ନଥିଲେ। ଏ ସଂପର୍କରେ ସେ ସୁପରଭାଇଜର ମଧୁସ୍ମିତା ବେହେରାଙ୍କୁ କହିଥିଲେ। ସକାଳେ ସେହି ମହିଳା ଜନଗଣନା କର୍ମଚାରୀଙ୍କ ସହିତ ସୁପରଭାଇଜର ମଧୁସ୍ମିତା ବେହେରା ଓ ଅନ୍ୟ ଦୁଇ ଜଣ ଉପରିସ୍ଥ ଅଧିକାରୀ ଆସିଥିଲେ ଅଭିଯୁକ୍ତଙ୍କ ଘରକୁ। ଜନଗଣନା କାର୍ଯ୍ୟରେ ସହଯୋଗ କରିବା ପାଇଁ ଅଭିଯୁକ୍ତମାନଙ୍କୁ ବୁଝାଇବା ସହିତ ତଥ୍ୟ ନେବା ପାଇଁ ସେମାନେ ଆସିଥିଲେ। କିନ୍ତୁ ଅଭିଯୁକ୍ତମାନେ ସେମାନଙ୍କୁ ଦେଖିବା ମାତ୍ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ।