ହିନ୍ଦୋଳ : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ।। ବାରମ୍ବାର ହାତୀ ଆକ୍ରମଣ ହେଉଥିବାରୁ ଲୋକେ ଆତଙ୍କିତ।

0 77

ହିନ୍ଦୋଳରେ ଥମୁନି ହାତୀ ଆକ୍ରମଣ, ଯୁବକଙ୍କ ମୃତ୍ୟୁ
ଢେଙ୍କାନାଳ, ୧୭/୮:
(ସତ୍ୟାନ୍ୟୁଜ) ହିନ୍ଦୋଳ ବନାଞ୍ଚଳରେ ଥମିବାର ନାଁ ନେଉନି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଜଣେ ୩୨ ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି। ଘଟଣାଟି ବାଲିମି ଥାନା ଅନ୍ତର୍ଗତ ଗୁଳେହୀ ପଞ୍ଚାୟତର ଚନ୍ଦ୍ରଶେଖରପୁର ଗ୍ରାମରେ ଘଟିଛି।
ମୃତକ ହେଲେ ଗ୍ରାମର ଜିତେନ୍ଦ୍ର ସାହୁ। ଆଜି ସକାଳ ପ୍ରାୟ ୧୧ଟା ସମୟରେ ଜିତେନ୍ଦ୍ର ଗ୍ରାମ ନିକଟସ୍ଥ ଏକ ଦୋକାନକୁ ସଉଦା କିଣିବାକୁ ଯାଉଥିବା ବେଳେ ହଠାତ୍ ଏକ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେବାରୁ ସେ ତଳେ ପଡ଼ି ଅଚେତ ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପରିବାର ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ହସ୍ପିଟାଲ ନେବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ମନା କରିଥିଲେ। ଫଳରେ ପରିବାର ଲୋକେ ଅଟୋ ଭଡ଼ା କରି ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ମୃତଦେହ ହସ୍ପିଟାଲରେ ପହଞ୍ଚିବା ପରେ ବାଲିମି ଥାନା ପୋଲିସ ଉପସ୍ଥିତ ଥିଲେ ମଧ୍ୟ ବନାଞ୍ଚଳ ଅଧିକାରୀ କିମ୍ବା ଫରେଷ୍ଟରଙ୍କ ଉପସ୍ଥିତି ନଥିବା ନେଇ ପରିବାର ଅଭିଯୋଗ କରିଛି। କେବଳ କର୍ଣ୍ଣପୁର ବିଟ୍‌ର ଜଣେ ଗାର୍ଡ ସିଭିଲ୍ ଡ୍ରେସ୍‌ରେ ଉପସ୍ଥିତ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶବ ବ୍ୟବଚ୍ଛେଦ ବିଳମ୍ବିତ ହୋଇଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ନେଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୋଳ ବନାଞ୍ଚଳରେ ବାରମ୍ବାର ହାତୀ-ମଣିଷ ସଂଘର୍ଷ ଏବଂ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହାର ସ୍ଥାୟୀ ସମାଧାନ ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave A Reply

Your email address will not be published.