ରାଉରକେଲା : ସହରର ମୁଖ୍ୟ ରାସ୍ତାର ଜଳ ବନ୍ଦୀ ସମସ୍ୟାର ନିରୀକ୍ଷଣ କଲେ ଆରଏମସି କମିଶନର।। ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ରୁ କାମ ଆରମ୍ଭ।

0 56

ମେନ୍ ରୋଡ୍ ଓଲ୍ଡ ଟ୍ୟାକ୍ସି ଷ୍ଟାଣ୍ଡରେ ଜଳବନ୍ଦୀ ସ୍ଥିତିର ସମୀକ୍ଷା କଲେ ଏଡିଏମ୍ ଦିନା ଦସ୍ତଗୀର
ରାଉରକେଲା, ୧୧/୮ (ସତ୍ୟାନ୍ୟୁଜ):ବର୍ଷା ହେଲେ ରାଉରକେଲା ମେନ୍ ରୋଡ୍‌ର ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ତତ୍ପର ହୋଇଛି ରାଉରକେଲା ମହାନଗର ନିଗମ।
ମଙ୍ଗଳବାର ଆରଏମ୍‌ସି କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦିନା ଦସ୍ତଗୀର ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ପହଞ୍ଚି ଜଳବନ୍ଦୀ ସ୍ଥିତିର ସମୀକ୍ଷା କରିଛନ୍ତି।
ଏହି ଅବସରରେ ପ୍ରାୟ ୧୦୦ ମିଟର ଲମ୍ବା ଟେଢ଼ାମେଢ଼ା ନାଳକୁ ନିରୀକ୍ଷଣ କରି ଜଳ ନିଷ୍କାସନରେ ସୃଷ୍ଟି ହେଉଥିବା ସମସ୍ୟାର କାରଣ ଖୋଜିଥିଲେ ଏଡିଏମ୍।
ସ୍ଥାନୀୟ ଦୋକାନୀମାନେ ମଧ୍ୟ ଏଡିଏମ୍‌ଙ୍କୁ ଭେଟି ବର୍ଷା ସମୟରେ ଜଳବନ୍ଦୀ ଯୋଗୁଁ ବ୍ୟବସାୟ ଓ ଯାତାୟାତରେ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ପାଇଁ ଦୋକାନୀମାନେ ନିଜ ଅଭିଜ୍ଞତା ଆଧାରରେ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦେଇଥିଲେ।
ଦୋକାନୀମାନଙ୍କ ସମସ୍ୟା ଓ ପ୍ରସ୍ତାବ ଶୁଣିବା ପରେ ଏଡିଏମ୍ ଦିନା ଦସ୍ତଗୀର ଜଳବନ୍ଦୀର ପ୍ରକୃତ କାରଣ ଅନୁଧ୍ୟାନ କରାଯାଇ ଏହାର ସ୍ଥାୟୀ ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡରୁ ହୋଟେଲ ଚନ୍ଦ୍ରଲୋକ ଓ ଆନନ୍ଦ ଭବନ ଲେନ୍ ପର୍ଯ୍ୟନ୍ତ ବର୍ଷା ପରେ ଜମି ରହୁଥିବା ପାଣିର ଫଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଗତକାଲି ଭାଇରାଲ ହୋଇଥିଲା।
ଏହାପରେ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ଆରଏମ୍‌ସି ପକ୍ଷରୁ ଘଟଣାସ୍ଥଳରେ କାମ ଆରମ୍ଭ ହୋଇଛି। ବୁଲଡୋଜର ସହ ନିଗମର ଟିମ୍ ନାଳ ଓ ଜଳ ନିଷ୍କାସନ ପଥକୁ ସୁଧାରିବା ପାଇଁ ପଦକ୍ଷେପ ନେଉଛନ୍ତୁ।
ବର୍ଷା ହେଲେ ଜଳବନ୍ଦୀରୁ ମୁକ୍ତି ପାଇଁ ଏବେ ଆରଏମ୍‌ସିର ଏହି ପଦକ୍ଷେପ କେତେଦୂର ସଫଳ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.