ରାଉରକେଲା : ୧୧/୮
(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଏକ ବଡ଼ ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି।
ଝାରଖଣ୍ଡର ଦେଓଘରରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗ ଓଡ଼ିଶା–ଝାରଖଣ୍ଡ ସୀମା ରେ ଚାଲୁଥିବା ସାଇବର ଠକେଇ ରାକେଟ୍ରେ ସକ୍ରିୟ ଥିବା ପୋଲିସ କହିଛି।
ଅଗଷ୍ଟ ମାସରେ ଉଦିତନଗର ଥାନା ରେ ହୋଇଥିବା ଏକ ସାଇବର୍ ଠକେଇ ମାମଲାର ଏହା ଏକ ଲିଙ୍କ୍ ବୋଲି ପୋଲିସ କହିଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ନକଲି PM-KISAN ଆପ୍ ଏବଂ ନକଲି APK ଫାଇଲ୍ ବ୍ୟବହାର କରି ଲୋକଙ୍କ ମୋବାଇଲ୍ ଓ UPI ଆକାଉଣ୍ଟକୁ ହ୍ୟାକ୍ କରୁଥିଲେ।
ଆପ୍ ଇନଷ୍ଟଲ୍ ହେବା ପରେ ସେମାନେ UPI, ATM ଓ QR କୋଡ୍ ମାଧ୍ୟମରେ ଟଙ୍କା ହଡ଼ପ କରୁଥିଲେ। ପରେ ଟ୍ରାଞ୍ଜାକ୍ସନ୍ ଟ୍ରେଲ୍ ଲୁଚାଇବା ପାଇଁ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ କୁ ଟ୍ରାଂଶଫର୍ କରୁଥିଲେ।
ଟେକ୍ନିକାଲ୍ ତଦନ୍ତ ଓ ଫିଲ୍ଡ ଅପରେସନ୍ ଆଧାରରେ ପୋଲିସ ଏହି ଗ୍ୟାଙ୍ଗକୁ ଚିହ୍ନଟ କରିଛି। ଏପର୍ଯ୍ୟନ୍ତ ଏହି ନେଟୱର୍କ ସହ ଜଡିତ ସାଢ଼େ ୩ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ୍ ଚିହ୍ନଟ ହୋଇଛି।
ଦେଶର 31ଟି FIR ସହ ମଧ୍ୟ ଏହି ଗ୍ୟାଙ୍ଗର ସମ୍ପର୍କ ମିଳିଛି। ଏପର୍ଯ୍ୟନ୍ତ ₹47 ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟ ରେ ଫ୍ରୀଜ୍ କରାଯାଇଛି।
ଜବତ ସାମଗ୍ରୀରେ ନଗଦ ଟଙ୍କା, ମୋବାଇଲ୍ ଫୋନ୍, ATM କାର୍ଡ, ସ୍କୋର୍ପିଓ ଗାଡ଼ି ଏବଂ ବ୍ୟାଙ୍କ ଡକ୍ୟୁମେଣ୍ଟ ରହିଛି।
ଗିରଫ ଅଭିଯୁକ୍ତମାନେ ବିକାଶ କୁମାର ମାଞ୍ଝି, ପ୍ରଦୀପ କୁମାର, ସୁରଜ କୁମାର ଓ ମନୀଷ କୁମାର ଯାଦବ ବୋଲି ଚିହ୍ନଟ ହୋଇଛନ୍ତି। ଆଉ ଜଣେ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରାଯାଇ ଜେଲ୍ ପଠାଯାଇଛି।
ପୋଲିସ ଏବେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ଟଙ୍କା କାରବାର ର ପର୍ଦ୍ଦାଫାସ କରିବାକୁ ଉଦ୍ୟମ କରୁଛି।
ଲୋକମାନଙ୍କୁ ଅଜଣା ଲିଙ୍କ୍ ଓ ଆପ୍ ଡାଉନଲୋଡ୍ ନ କରିବାକୁ ସତର୍କ କରାଯାଇଛି।
ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଆଉ ଗିରଫ ହେବାର ସମ୍ଭାବନା ରହିଛି ବୋଲି ରାଉରକେଲା ଏସପି ନୀତେଶ ୱାଧୱାନି କହିଛନ୍ତି।