ରାଉରକେଲା : ରାଉରକେଲାରେ ନିଶୁଳ୍କ ଓଡ଼ିଶୀ କର୍ମଶାଳା।। ଯୋଗ ଦେଲେ ୧୨୦୦ ଛାତ୍ରଛାତ୍ରୀ।

0 72

୧୨୦୦ଛାତ୍ରଛାତ୍ରୀଙ୍କୁନେଇନିଶୁଳ୍କଓଡ଼ିଶୀ_କର୍ମଶାଳା

ଉଦିତନଗରସରକାରୀଉଚ୍ଚବିଦ୍ୟାଳୟରେନୃତ୍ୟମାଲହାରର ଅଭିନବ_ପଦକ୍ଷେପ

ରାଉରକେଲା, ୭/୭ (ସତ୍ୟନ୍ୟୁଜ): ରାଉରକେଲାର ନୃତ୍ୟ ମାଲହାର ପକ୍ଷରୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୧୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ଏକ ନିଶୁଳ୍କ ଓଡ଼ିଶୀ ନୃତ୍ୟ କର୍ମଶାଳା ଓ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଛି।
ନୃତ୍ୟ ମାଲହାରର ଅଧ୍ୟକ୍ଷା, ସ୍ୱର୍ଣ୍ଣ ପଦକପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷିକା ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୁମାରୀ ବର୍ଷାରାଣୀ ପଣ୍ଡା କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟର ବଡି ପଲିଶିଂ ଟେକ୍ନିକ୍, ଚଉକ, ତ୍ରିଭଙ୍ଗୀ, ହସ୍ତମୁଦ୍ରା, ତାଳ-ଲୟ, ଅଭିନୟର ପ୍ରାଥମିକ ଧାରଣା ସହ ଓଡ଼ିଶୀରେ ଉଚ୍ଚଶିକ୍ଷା ଓ କ୍ୟାରିଅରର ସମ୍ଭାବନା ବିଷୟରେ ପ୍ରାୟୋଗିକ ପ୍ରଶିକ୍ଷଣ ଦେଇଥିଲେ।
ଏହି ଅବସରରେ ନୃତ୍ୟ ମାଲହାରର ବରିଷ୍ଠ ଛାତ୍ରୀ ସିୟା କେୱଟ, ଉତ୍କଳିକା ଦାସ ଓ ରାଇଶା ବେହେରା ମଧ୍ୟ ପ୍ରାୟୋଗିକ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ସହଜ ଢଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପରିବେଷିତ ‘ଶିବ ତାଣ୍ଡବ’ ନୃତ୍ୟ ଉପସ୍ଥିତ ସମସ୍ତଙ୍କ ମନ ମୋହି ନେଇଥିଲା।
ବର୍ଷାରାଣୀ ପଣ୍ଡା କହିଥିଲେ, “ଓଡ଼ିଶୀ କେବଳ ଏକ ନୃତ୍ୟ ନୁହେଁ, ଏହା ଆମ ସଂସ୍କୃତି ଓ ପରିଚୟର ପ୍ରତୀକ। ବିଦ୍ୟାଳୟ ସ୍ତରରୁ ଶିଶୁମାନଙ୍କ ମନରେ ଏହି ଶାସ୍ତ୍ରୀୟ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ହିଁ ଆମର ଲକ୍ଷ୍ୟ।”
କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୈନା କୁଜୁର, ସ୍ନିଗ୍ଧା ମ୍ୟାଡାମ୍, ସୁଲଭା ନାଏକ, ସଞ୍ଜୟ ବିଶ୍ୱାଳ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନୃତ୍ୟ ମାଲହାର ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।
ଏହି କର୍ମଶାଳା ମାଧ୍ୟମରେ ଶତାଧିକ ଛାତ୍ରଛାତ୍ରୀଙ୍କ ମନରେ ଓଡ଼ିଶୀ ନୃତ୍ୟ ପ୍ରତି ନୂତନ ଆଗ୍ରହ ସୃଷ୍ଟି ହୋଇଥିବାବେଳେ, ତୃଣମୂଳ ସ୍ତରରେ ଶାସ୍ତ୍ରୀୟ କଳାର ପ୍ରଚାର-ପ୍ରସାର ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଶିକ୍ଷକ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.