ସୁନ୍ଦରଗଡ଼ରେ ବୋଲେରୋ-କମାଣ୍ଡର ମୁହାଁମୁହିଁ ଧକ୍କା: ୨ ମୃତ, ୮ରୁ ଅଧିକ ଆହତ
ସୁନ୍ଦରଗଡ଼, ୭ ଜୁଲାଇ
(ସତ୍ୟାନ୍ୟୁଜ): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ପାତକିଜୋର ସ୍କୁଲ ନିକଟରେ ମଙ୍ଗଳବାର ଏକ ବୋଲେରୋ ଓ କମାଣ୍ଡର ଯାତ୍ରୀବାହୀ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ କିଞ୍ଜିରକେଲା ଅଭିମୁଖେ ଯାଉଥିବା କମାଣ୍ଡର ଗାଡ଼ିଟି ପାତକିଜୋର ସ୍କୁଲ ନିକଟସ୍ଥ ଏକ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହି ଭୟାବହ ଦୁର୍ଘଟଣାରେ କମାଣ୍ଡର ଚାଳକ ଓ ଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ଚିକିତ୍ସା ପାଇଁ ପଠାଇଛି।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।