ରାଉରକେଲା : ‘ ଡିଜିଟାଲ ଆରେଷ୍ଟ୍ ‘ ଠକେଇ ସ୍କାମ୍ ବିରୁଦ୍ଧରେ ରାଉରକେଲା ପୋଲିସ ର ବଡ ସଫଳତା।। ମୁମ୍ବାଇ ରୁ ଦୁଇ ସାଇବର୍ ଠକ୍ ଗିରଫ।
ରାଉରକେଲା ପୋଲିସର ବଡ଼ ସଫଳତା!
₹୧୪ଲକ୍ଷ ୩୬ ହଜାର ଟଙ୍କାର ‘ଡିଜିଟାଲ ଆରେଷ୍ଟ’ ସାଇବର ଠକେଇ ମାମଲାର ପର୍ଦ୍ଦାଫାସ, ମୁମ୍ବାଇରୁ ୨ ଗିରଫ
ରାଉରକେଲା, ୩୦ ଜୁନ
(ସତ୍ୟାନ୍ୟୁଜ): ” ଆପଣଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ସିବିଆଇ କୁ କାହା ଯାଇଛି। ଆପଣଙ୍କୁ ଆରେଷ୍ଟ କରିବାକୁ ସିବିଆଇ ଆସୁଛି।” ଏପରି ଭୟଭୀତ କରାଇ ସାଇବର୍ ଠକ୍ ମାନେ ଲୋକଙ୍କୁ ଲୁଟୁଛନ୍ତି। ଏପରି କୌଣସି ସଂସ୍ଥା ଗିରଫ।ପୂର୍ବରୁ ମେସେକ୍ ଦିଅନ୍ତି ନାହିଁ ବୋଲି ରାଉରକେଲା ଏସପି ନୀତେଶ ୱାଧୱାନି କହିଛନ୍ତି। ଏହାସହ ସାଇବର ଅପରାଧ ବିରୋଧରେ ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାଉରକେଲାର ହମିରପୁର ର ଧର୍ମ ଯାଜକ କିଶୋର କୁକୁର ଙ୍କୁ “ଡିଜିଟାଲ ଆରେଷ୍ଟ” ନାଁରେ ଭୟଭୀତ କରି ₹୧୪ ଲକ୍ଷ ୩୬ ହଜାର ଟଙ୍କା ଠକେଇ କରାଯାଇଥିବା ମାମଲାର ତଦନ୍ତ କରି ପୋଲିସ ମୁମ୍ବାଇରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବ୍ୟାଙ୍କ କାରବାର, ମୋବାଇଲ ନମ୍ବର, ଡିଜିଟାଲ ପ୍ରମାଣ ଏବଂ ଟଙ୍କା ପଠାଯାଇଥିବା ବ୍ୟାଙ୍କ ଖାତାର ବୈଷୟିକ ବିଶ୍ଳେଷଣ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଏହାପରେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ମୁମ୍ବାଇ ରେ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ୪୭ ବର୍ଷୀୟ ନୟନ ଲଲିତ ନାଥୱାନୀ ଏବଂ ୩୫ ବର୍ଷୀୟ ଧବଳ ପରେଶ ପାଣ୍ଡ୍ୟା । ନାଥୱାନୀ ଜଣେ ଜିଏସଟି ବ୍ରୋକର ଥିବାବେଳେ ପାଣ୍ଡ୍ୟା ଜଣେ ଫ୍ରିଲାନ୍ସ ଡ୍ରମର ହେବା ସହ ଜିଏସଟି ବ୍ରୋକର ଭାବେ ମଧ୍ୟ କାମ କରୁଥିଲେ।
ଅଭିଯାନ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ମୋବାଇଲ ଫୋନ୍, ସିମ୍ କାର୍ଡ ଏବଂ ଆର୍ଥିକ କାରବାର ସମ୍ବନ୍ଧୀୟ ବିଭିନ୍ନ ନଥିପତ୍ର ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଖାତାର ଯାଞ୍ଚ ଜାରି ରହିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଠକେଇ ଟଙ୍କା କାରବାର ପାଇଁ ବ୍ୟବହୃତ ବ୍ୟାଙ୍କ ଖାତାଗୁଡ଼ିକ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟର ଅନେକ ସାଇବର ଠକେଇ ମାମଲା ସହ ଜଡ଼ିତ। ଏହା ପଛରେ ଏକ ସଂଗଠିତ ଆନ୍ତଃରାଜ୍ୟ ସାଇବର ଅପରାଧ ଚକ୍ର କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି। ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା ସହ ଅଧିକ ଆର୍ଥିକ କାରବାରର ତଦନ୍ତ ଚାଲିଛି।
ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସପି ନୀତେଶ ୱାଧୱାନି ଜନସାଧାରଣଙ୍କୁ ଏଥି ପାଇଁ ପରାମର୍ଶ ଦେଇଛନ୍ତି।
କୌଣସି ପୋଲିସ କିମ୍ବା ତଦନ୍ତକାରୀ ସଂସ୍ଥା ଭିଡିଓ କଲ୍ କରି ଟଙ୍କା ମାଗନ୍ତି ନାହିଁ କିମ୍ବା “ଡିଜିଟାଲ ଆରେଷ୍ଟ” କରନ୍ତି ନାହିଁ। ଏପରି ସନ୍ଦେହଜନକ କଲ୍ ଆସିଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ କିମ୍ବା ନ୍ୟାସନାଲ ସାଇବର କ୍ରାଇମ୍ ପୋର୍ଟାଲ୍ ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ସ୍ଥାନୀୟ ଥାନା ଇନ୍ସପେକ୍ଟର ଙ୍କୁ ମଧ୍ୟ ଅଭିଯୋଗ କରାଯାଇ ପାରିବ ବୋଲି କୁହା ଯାଇଛି।