ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଫିନାଇଲ କାରଖାନା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ।
ରାଜଗାଙ୍ଗପୁର୨୮/୬
(ସତ୍ୟାନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବାଇପାସ ଲମଲୋଇ ରାସ୍ତା ପାର୍ଶ୍ୱରେ ଥିବା ‘ଶ୍ରୀ ଶ୍ୟାମ ଇଣ୍ଟରପ୍ରାଇଜ’ ଫିନାଇଲ ଓ ଟଏଲେଟ କ୍ଲିନର ତିଆରି କାରଖାନାରେ ରବିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ କାରଖାନାରେ ମହଜୁଦ ଥିବା ବହୁ ପରିମାଣର କେମିକାଲ, ପ୍ଲାଷ୍ଟିକ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ସମୟରେ କାରଖାନାରୁ ହଠାତ୍ ଧୂଆଁ ବାହାରିବା ସହ ନିଆଁ ବ୍ୟାପିଯାଇଥିଲା। କାରଖାନାରେ ଥିବା ଜ୍ୱଳନଶୀଳ କେମିକାଲ ଓ ପ୍ଲାଷ୍ଟିକ ସାମଗ୍ରୀ ଯୋଗୁଁ ନିଆଁ ମୁହୂର୍ତ୍ତକେ ଭୟଙ୍କର ରୂପ ନେଇଥିଲା।
ଖବର ପାଇ ରାଜଗାଙ୍ଗପୁର, କୁତ୍ରା ଅଗ୍ନିଶମ ବାହିନୀ ସହ ନିକଟସ୍ଥ ଏକ ସିମେଣ୍ଟ କାରଖାନାର ଫାୟାର ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।
ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ, ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନାହିଁ, ତେବେ କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଛି।