ରାଉରକେଲା:୨୮/୬
(ସତ୍ୟାନ୍ୟୁଜ)
ବିରମିତ୍ରପୁର ଥାନା ଅଞ୍ଚଳରେ ଥିବା ଏକ ରାଇସ୍ ମିଲ୍ କ୍ୟାମ୍ପସ୍ ରେ ଜଣେ ମହିଳାଙ୍କ ମୃତ ଦେହ ମିଳିବା ପରେ ଉକ୍ତ ଏରିଆ ରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୋଲିସ୍ ଏବଂ ଫାୟାର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛନ୍ତି। ମୃତକ ୪୦ ବର୍ଷୀୟା ବନ୍ଧନୀ ଲାଖୁଆ ବୋଲି ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାୟୀ ବନ୍ଧନୀ ଗତକାଲି ଘରୁ କାମକୁ ବାହାରି ଯାଇଥିଲା। ରାଉରକେଲା ବେଦବ୍ୟାସ ଅଞ୍ଚଳରେ ଅନ୍ୟ ମହିଳା ମାନଙ୍କ ସହ ମିଶି ସେ ଜରି ଏବଂ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଗୋଟାଇ ଥାଆନ୍ତି। ମାତ୍ର ଗତକାଲି ଘରୁ ବାହାରିବା ପରେ ସେ ଆଉ ନଫେରିବାରୁ ଘର ଲୋକ ଚିନ୍ତାରେ ଥିଲେ। ଆଜି ସକାଳେ କୁମଜରିଆ ପଞ୍ଚାୟତ ରାମପାଲ୍ ଅଞ୍ଚଳରେ ଥିବା ଏକ ରାଇସ୍ ମିଲ୍ ପରିସରରୁ ସନ୍ଦେହ ଜନକ ଅବସ୍ଥାରେ ବନ୍ଧନୀ ଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି। ଚାଉଳ ମିଲ୍ ରୁ ବାହାରୁ ଥିବା ଧାନ ଭୂଷା ଉପରେ ତାଙ୍କ ମୃତ ଦେହ ପଡିଥିବାର ଦେଖା ଯାଇଥିଲା। ବନ୍ଧନୀ ଙ୍କ ସହଯୋଗୀ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ତେବେ ପୋଲିସ୍ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛନ୍ତି।