ରାଉରକେଲା : ସିଭିଲ ଟାଉନ୍ ସିପ ରେ ଡ୍ରେନ୍ ଉପରୁ ଭଙ୍ଗା ଗଲା ଜବର ଦଖଲ।। ଡ୍ରେନ୍ ଅବରୋଧ ନକରିବାକୁ କମିଶନରଙ୍କ ନିବେଦନ।
ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଆହୁରି ବ୍ୟାପକ କରାଯିବ : କମିଶନର
-ବର୍ଷା ପୂର୍ବରୁ ଡ୍ରେନ୍ ସଫେଇ କାମ ଆରମ୍ଭ।। ସିଭିଲ ଟାଉନସିପ ରେ ଡ୍ରେନ୍ ଉପରୁ ହଟିଲା ଜବର ଦଖଲ। –
ରାଉରକେଲା, ୨୫ ଜୁନ୍ ୨୦୨୬:(ସତ୍ୟାନ୍ୟୁଜ) ରାଉରକେଲା ସହରକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ତରଫରୁ ଉଚ୍ଛେଦ ଅଭିଯାନକୁ ଜୋରଦାର୍ କରାଯାଉଛି। ଏହି କ୍ରମରେ ଗୁରୁବାର ସ୍ଥାନୀୟ ସିଭିଲ୍ ଟାଉନସିପ୍ ଅଞ୍ଚଳରେ ରାଉରକେଲା ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍ ତରଫରୁ ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା।
ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍ ଉପରେ ଅନଧିକୃତ ଦଖଲ କରି ବେଆଇନ୍ ନିର୍ମାଣ କରାଯାଇଥିବା ଯୋଗୁଁ ବିଶେଷକରି ବର୍ଷା ଦିନେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥାଏ। ଅନେକ ସମୟରେ କଭର ଡ୍ରେନ୍ ଗୁଡିକର ସଫେଇ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ତେଣୁ ଆଗାମୀ ମୌସୁମୀକୁ ଆଖି ଆଗରେ ରଖି ଆରଏମସି ତରଫରୁ ସିଭିଲ ଟାଉନସିପର ପ୍ରାୟ ୩୦ଟି ଘର ସମ୍ମୁଖରେ ଥିବା ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ବେଆଇନ୍ ନିର୍ମାଣଗୁଡିକୁ ହଟାଯାଇଛି।
ରାଉରକେଲା ସହରକୁ ଜବରଦଖଲ ମୁକ୍ତ କରିବା ପାଇଁ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସୂଚନା ଦେବା ସହ ଜନସାଧାରଣଙ୍କୁ ଜବରଦଖଲରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହ ସହରରେ ସରକାରୀ ଜାଗା ହେଉ ବା ଡ୍ରେନ୍ ଉପରେ କିମ୍ବା ଫୁଟପାଥ୍ ଉପରେ ଜବରଦଖଲ କରି ବ୍ୟବସାୟ ତଥା କୌଣସି ବି ନିର୍ମାଣ କାର୍ଯ୍ୟ ନ କରିବାକୁ ସେ ସମସ୍ତ ରାଉରକେଲାବାସୀଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇଛନ୍ତି।