ରାଉରକେଲା, ୨୫ ଜୁନ:
(ସତ୍ୟାନ୍ୟୁଜ)
ଆସନ୍ତାକାଲି ମହରମ ପାଳନକୁ ନଜରରେ ରଖି ରାଉରକେଲା ପୋଲିସ ପକ୍ଷରୁ ପୋଲିସ ମୁଖ୍ୟାଳୟରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମହରମ କମିଟି, ରାଉରକେଲା ଇଣ୍ଟିଗ୍ରେସନ ଫୋରମ ଓ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ। ମହରମ୍ ଆସନ୍ତାକାଲି ପାଳନ ହେଉଥିବା ବେଳେ ଶନିବାର ଦିନ ୪ ଟି ମହରମ୍ କମିଟି ପକ୍ଷରୁ ସହରର ମୁଖ୍ୟ ମାର୍ଗରେ ଶୋଭାଯାତ୍ରା ବାହାରିବ। ଅପରାହ୍ନ ୪ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିବ ବୋଲି ମହରମ୍ କମିଟି ପକ୍ଷରୁ କୁହା ଯାଇଛି।
ବୈଠକରେ ଶୋଭାଯାତ୍ରା ମାର୍ଗ, ଟ୍ରାଫିକ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ଆଲୋଚନା ହୋଇଥିଲା। ପୋଲିସ ପକ୍ଷରୁ ସମସ୍ତଙ୍କୁ ସମ୍ପ୍ରୀତି ଓ ଭାଇଚାରାର ପରିବେଶ ଅକ୍ଷୁଣ୍ଣ ରଖିବାକୁ ଆହ୍ୱାନ କରାଯାଇଥିଲା।
ମହରମ କମିଟି ପ୍ରତିନିଧିମାନେ ମଧ୍ୟ ପ୍ରଶାସନକୁ ପୂର୍ଣ୍ଣ ସହଯୋଗର ଆଶ୍ୱାସନ ଦେଇଛନ୍ତି। ସହରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ମୁତୟନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।