ରାଉରକେଲା ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ଲୁହା ରଡ୍ରେ ଆକ୍ରମଣ, ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର।
ରାଉରକେଲା, ୨୫ଜୁନ (ସତ୍ୟନ୍ୟୁଜ ଆଲର୍ଟ): ରାଉରକେଲା ରେଳ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାରେ ଜଣେ ଯୁବ ଦୋକାନୀଙ୍କୁ କେତେକ ଅଜଣା ଯୁବକ ଲୁହା ରଡ୍ ଭୂଷି ଗୁରୁତର ଆହତ କରିଛନ୍ତି। ଆହତ ଯୁବକ ଛୋଟେ ଲାଲ ଭଦେରିଆ ବୋଲି ଜଣା ପଡିଛି। ସେ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଷ୍ଟେସନ୍ ରେ ଫୁଡ୍ ଭେଣ୍ଡର୍ କାମ କରୁଥିଲେ। ଗତକାଲି ତାଙ୍କୁ ସରକାରୀ ହସ୍ପିଟାଲ୍ ପରେ ଜେପି ଏବଂ ଆପୋଲୋ ହସ୍ପିଟାଲ୍ ନିଆ ଯାଇଥିଲା। ମାତ୍ର ସେଠାରେ ଭଲ ନହେବାରୁ ଆଜି ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ପଶିଥିବା ମୁନିଆଁ ରଡ୍ ଏପର୍ଯ୍ୟନ୍ତ ବାହାର କରାଯାଇ ପାରିନାହିଁ।
ସୂଚନା ଅନୁଯାୟୀ, ରେଳ ଷ୍ଟେସନର ଦ୍ୱିତୀୟ ଗେଟ୍ ନିକଟ ଗୋପବନ୍ଧୁପାଲିକୁ ଯାଉଥିବା ରାସ୍ତାରେ ଏହି ଘଟଣା ଘଟିଥିଲା। କିଛି ଅଜଣା ଯୁବକ ହଠାତ୍ ଯୁବକଙ୍କ ଉପରେ ଆକ୍ରମଣ କରି ଲୁହା ରଡ୍ରେ ଭୁଷି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଆକ୍ରମଣରେ ଯୁବକଙ୍କ ପେଟରେ ଗୁରୁତର ଆଘାତ ଲାଗିଥିବା ବେଳେ ମୁନିଆଁ ଲୁହା ରଡ୍ଟି ପେଟ ଭିତରେ ପଶି ଲାଗି ରହିଛି। ସ୍ଥାନୀୟ ଲୋକ ଏବଂ ପୋଲିସ୍ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ।
ଏହି ଘଟଣା ରେ ପୋଲିସ୍ ୨/୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।