କୋଲକାତା : ନ୍ୟୁ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି।। ୨୫ ଆହତ।। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା।
କୋଲକାତା : ୧୭/୬ (ସତ୍ୟାନ୍ୟୁଜ) ପଶ୍ଚିମବଙ୍ଗ ନୂଆ ଜଲପାଇଗୁଡ଼ି ଟ୍ରେନ୍ ଟ୍ରାଜେଡିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳସ ୨୫ ଜଣ ଆହତ ହୋଇଛନ୍ତି। ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଇଥିଲା ଏକ ମାଲଗାଡ଼ି। ମୃତକଙ୍କ ଭିତରେ ଅଛନ୍ତି ମାଲବାହୀ ଟ୍ରେନର ଡ୍ରାଇଭର ଓ ଆସିଷ୍ଟାଣ୍ଟ ଡ୍ରାଇଭର। ଏମାନଙ୍କ ସହ କାଞ୍ଚନଜଙ୍ଗା ଏକ୍ସପ୍ରେସର ଗାର୍ଡଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିଆଲଦା ଅଭିମୁଖେ ଯାଉଥିଲା। ଏତିକି ବେଳେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାର ନୂଆ ଜଲପାଇଗୁଡ଼ିରେ ପଛରୁ ଧକ୍କା ଦେଇଥିଲା ମାଲଗାଡ଼ି। ଦୁର୍ଘଟଣା ପରେ ଉପରକୁ ଉଠିଯାଇଥିଲା କାଞ୍ଚନଜଙ୍ଗା ଏକ୍ସେପ୍ରେସର ବଗି। ପଛରେ ଥିବା ବଗିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ, ମେଡିକାଲ୍ ଟିମ୍, ପୁଲିସ, ଅଗ୍ନିଶମ ବାହାନୀ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚିଥିଲେ। ଗ୍ବଗି ଭିତରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାମ ସରିଥିବା ସୂଚନା ମିଳିଛି।
ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏହି ରାଶିକୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି। ଏଥିସହ ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।
ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସିଗନାଲ ସତ୍ତ୍ୱେ ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ। ପଛ ଗାଡ଼ି ଅଟକିବାର ଥିଲା। କିନ୍ତୁ ଡ୍ରାଇଭର ଅଟକାଇ ନଥିଲେ। ସିଗ୍ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା କହିଛନ୍ତି।