ଭୁବନେଶ୍ୱର : ୭/୭ ସତ୍ୟାନ୍ୟୁଜ) ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢ଼ଉ ବେଳେ ୧୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦେଣନେଣର ତଥ୍ୟ ମିଳିଥିବା ଜଣାପଡ଼ିଛି। ବୁଧବାର ଜବତ ହୋଇଥିବା ନଗଦ ୩୦କୋଟି ଟଙ୍କା କେଉଁ ସୂତ୍ରରୁ ଆସିଥିଲା ଓ ଏତେ ପରିମାଣର ନଗଦ ଅର୍ଥ କାହିଁକି ଘରେ ରହିଥିଲା ତା’ର ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବଶୀଘ୍ର ଏହି ମାମଲାକୁ ହାତକୁ ନେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଦ୍ୱିତୀୟ ଦିନ ଚଢ଼ଉରେ ଆୟକର ଅଧିକାରୀମାନଙ୍କୁ ଡିଏନ୍ ଗ୍ରୁପ୍ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଅଫିସ, ନିର୍ଦ୍ଦେଶକ, କର୍ମଚାରୀଙ୍କଠୁ ପ୍ରାୟ ୧୦୫କୋଟି ଟଙ୍କା ଦେଣନେଣ ସଂକ୍ରାନ୍ତ ଦସ୍ତାବିଜ ମିଳିଛି । ବୁଧବାର କମ୍ପାନୀର ଆଇନ ପରାମର୍ଶଦାତାଙ୍କ ଠାରୁ ପ୍ରାୟ ୩୦କୋଟି ଟଙ୍କା ନଗଦ ଜବତ ହୋଇଥିବାବେଳେ ଗତକାଲି ଆୟକର ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏତେ ପରିମାଣର ନଗଦ ଅର୍ଥ ଓ ବେନାମୀ ସମ୍ପତ୍ତି ମିଳିଥିବା ଅଭିଯୋଗ ହେବାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସକ୍ରିୟ ହୋଇପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମାମଲାରେ ଇଡି ଆବଶ୍ୟକ ପଦକ୍ଷେପ ନେବ । ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ତାହା ଜାଣିବାକୁ ତଦନ୍ତ କରାଯିବା ନେଇ ସୂଚନା ମିଳିଛି।