ଭୁବନେଶ୍ୱର : ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ଼।। ୯ ଟି ସ୍ଥାନରେ ଚଢ଼ାଉ।। ଭୁବନେଶ୍ୱର ଘରୁ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ।
ଭୁବନେଶ୍ୱର : ୨୩/୬ (ସତ୍ୟାନ୍ୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର କାନନ ବିହାର ସ୍ଥିତ ୧୧୫ ନମ୍ବର ଘରୁ ଭିଜିଲାନ୍ସ ଟିମ୍ ୬ ପେଟି ୫୦୦ ଟଙ୍କିଆ ନୋଟ ଜବତ କରିଛନ୍ତି। ଭିଜିଲାନ୍ସ ଟିମ୍ କୁ ଦେଖି ଏହି ଟଙ୍କା ପାଖରେ ଥିବା ୧୧୬ ନମ୍ବର ଘରକୁ ପକାଇ ଦେଇଥିଲେ। ଭିଜିଲାନ୍ସ ଟିମ୍ ଏବେ ଦୁଇଟି ଘରକୁ ଯାଞ୍ଚ କରୁଛନ୍ତି। ଜବତ ହୋଇଥିବା ଟଙ୍କା ୨ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।
ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରଶାନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ତଦନ୍ତ କରି ପ୍ରଶାନ୍ତଙ୍କ ଘରେ ଆଜି ସକାଳେ ଚଢ଼ାଉ କରିଛି।