ଲହୁଣୀପଡା : ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ଧାରଣା।
ଲହୁଣୀପଡା : ୧୮/୬ (ସତ୍ୟାନ୍ୟୁଜ) ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣାରେ ଜଣେ କର୍ମଚରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। କ୍ଷତିପୂରଣ ଦାବିରେ କରଖାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଲା ଗ୍ରାମରେ ଥିବା ବି ଆର ସ୍ପଞ୍ଜ ଆଣ୍ଡ ପ୍ରାଇଭେଟ ଲିମିଟେଡ଼ ପ୍ଲାଣ୍ଟ ଭିତରେ ଘଟି ଯାଇଛି ଏହି ଦୁର୍ଘଟଣା। ମିଳିଥିବା ସୂଚନା ଅନୁସାରେ ଠିଆବେର୍ଣ୍ଣା ଗ୍ରାମର ଭକ୍ତ ମହାନ୍ତ( ୫୬ ) ପ୍ରତିଦିନ ଉକ୍ତ ପ୍ଲାଣ୍ଟ କୁ କାମ କରିବାକୁ ଆସନ୍ତି। ଗତକାଲି ସନ୍ଧ୍ୟା ୯ ଟା ବେଳେ ସେ ଡିଉଟିରେ ଯୋଗ ଦେଇ କାମ କରୁଥିଲେ । ରାତ୍ରି ପ୍ରାୟ ୧ ରୁ ୧:୩୦ ମଧ୍ୟରେ ଏକ ଲୋଡ଼ର ଗାଡି ସେହି ସ୍ଥାନକୁ ଆସି ଥିଲା ଏବଂ ପ୍ଲାଣ୍ଟ ର କଞ୍ଚାମାଲ ଉଠାଇବା ପାଇଁ ଲୋଡ଼ରର ବୋକେଟକୁ ତଳକୁ କରିଥିଲା କିନ୍ତୁ ତଳେ ଭକ୍ତ ମହାନ୍ତ ଓ ଅନ୍ୟ ଶ୍ରମିକ ମାନେ କାମ କରୁଥିଲେ। ସେହି ସମୟରେ ବୋକେଟ ତଳେ ଭକ୍ତ ମହାନ୍ତ ଚାପିହେଇ ଯାଇଥିଲେ । ସଙ୍ଗେ ସଙ୍ଗେ ପ୍ଲାଣ୍ଟ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଲହୁଣୀପଡା ଗୋଷ୍ଠୀ ଚିକିତ୍ସାଲୟ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ପରିବାର ପକ୍ଷରୁ ଲହୁଣୀପଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରିବାରବର୍ଗ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଥିଲେ । ଲହୁଣୀପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତେଜନା ଶାନ୍ତ ପଡ଼ିଥିଲା। ପରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ କ୍ଷତିପୂରଣ ବାବଦରେ ଆଲୋଚନା କରିଥିଲେ। ପ୍ଲାଣ୍ଟ ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ୮,୫୦ ,୦୦୦ ଟଙ୍କା ଓ ତାଙ୍କ ପରିବାର ଜଣକୁ ପ୍ଲାଣ୍ଟ ରେ ଚାକିରୀ ଦେବାର ଲିଖିତ ପ୍ରତିଶ୍ରୁତି ଏବଂ ଶୁଦ୍ଧିକ୍ରିୟା ପାଇଁ ନଗଦ ୨୫୦୦୦ ଟଙ୍କା ଦିଆଯାଇଥିଲା।