ମୟୁରଭଞ୍ଜ : ତିନିଦିନ ପରେ ନିର୍ଯ୍ୟାତିତ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କଲା ପୋଲିସ।। କାଙ୍ଗାରୁ କୋର୍ଟରେ ବିଚାର କରି ଉଭୟଙ୍କୁ ବାନ୍ଧି ରଖା ଯାଇଥିଲା।
ମୟୁରଭଞ୍ଜ : ୧୮/୬ (ସତ୍ୟାନ୍ୟୁଜ) ଦୀର୍ଘ ୭୨ ଘଣ୍ଟାର ନିର୍ଯ୍ୟାତନା ପରେ ଶେଷରେ ପୋଲିସ ଜଣେ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିଛି। ତଥାକଥିତ କାଙ୍ଗାରୁ କୋର୍ଟରେ ବିଚାର କରି ଗ୍ରାମବାସୀ ମାନେ ଉକ୍ତ ମହିଳା ଏବଂ ପୁରୁଷଙ୍କୁ ବାନ୍ଧି ମାଡ଼ ମାରିଥିଲେ। ଘଟଣା ହେଉଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାୟଂ। ଗ୍ରାମର। ଏହି ଗ୍ରାମରେ ଜଣେ ବିବାହିତା ମହିଳା ଏବଂ ପୁରୁଷ ଅସଙ୍ଗତି ଅବସ୍ଥାରେ ଥିବା ବେଳେ ଗ୍ରାମବାସୀ ମାନଙ୍କ ହାତରେ ଧରା ପଡିଥିଲେ। କୌଣସି ଆଇନଗତ ପଦକ୍ଷେପ ନନେଇ ଗାଁ ଲୋକେ ଉଭୟଙ୍କୁ ବାନ୍ଧି ତିନିଦିନ ଧରି ନିର୍ଯ୍ୟାତନା ଦେଉଥିଲେ। ସୂଚନା ପାଇ ଆଜି ବାଙ୍ଗିରିପୋଷି ପୋଲିସ ଗ୍ରାମରେ ପହଞ୍ଚି ଉଭୟ ନିର୍ଯ୍ୟାତିତଙ୍କୁ ଉଦ୍ଧାର କରିଥିଲେ। ତେବେ ତିନି ଦିନ ଧରି ଏହି ମହିଳା ପୁରୁଷଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲେ ମଧ୍ୟ ପୋଲିସ ଖବର ପାଇ ନଥିଲେ। ସୋସିଆଲ ମିଡିଆରେ ଏହି ଘଟଣା ଭାଇରଲ ହେବା ପରେ ରବିବାର ଦିନ ପୋଲିସ ଉଭୟଙ୍କୁ ଉଦ୍ଧାର କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସ୍ ପି କହିଛନ୍ତି।