ରାଉରକେଲା : ଗ୍ରୀଷ୍ମକାଳୀନ ନାଟ୍ୟ ମହୋତ୍ସବ ଉଦଯାପିତ।। ନେସନଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ସିଭିକ ସେଣ୍ଟର ଠାରେ ଅୟୋଜିତ।
ରାଉରକେଲା : ୧୨/୬ (ସତ୍ୟାନ୍ୟୁଜ) ଉଦଯାପିତ ହୋଇ ଯାଇଛି ଗ୍ରୀଷ୍ମ କାଳୀନ ନାଟ୍ୟ ମହୋତ୍ସବ। ନେସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ପ୍ରଥମ ଥର ପାଇଁ ରାଉରକେଲା ସହରର ସିଭିକ ସେଣ୍ଟରରେ ପ୍ରଦର୍ଶିତ ହୋଇଯାଇଛି ଏହି ନାଟକ ମହୋତ୍ସବ। ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟ୍ୟ ମହୋତ୍ସବର ରବିବାର ଥିଲା ଶେଷ ସନ୍ଧ୍ୟା। ଶେଷ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଥିଲା ହାସ୍ୟ ରସାତ୍ମକ ନାଟକ ‘ତାଜ୍ମହଲ କା ଟେଣ୍ଡର’।
ମୋଗଲ ଶାସନ ସମୟରେ ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ତାଙ୍କର ପ୍ରିୟ ପତ୍ନୀ ମୁମ୍ତାଜଙ୍କ ସ୍ମୃତିରେ ନିର୍ମାଣ କରିଥିବା ତାଜମହଲ ନିର୍ମାଣ ସମ୍ପର୍କୀତ କାହାଣିକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ପରିବେଷଣ କରିଥିଲେ ଜାତୀୟ ଡ୍ରାମା ସ୍କୁଲ୍ର ଅଭିଜ୍ଞ କଳାକାରମାନେ। ତାଜମହଲ ନିର୍ମାଣକୁ ନେଇ କିପରି ମୁଖ୍ୟ ଯନ୍ତ୍ରୀ ଅନେକ ବର୍ଷ ଲଗାଇଛନ୍ତି ଏବଂ ଏଥିପାଇଁ କିପରି ସମ୍ରାଟଙ୍କୁ ଠକାଯାଇଛି, ସେ ସମ୍ପର୍କରେ ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମକୁ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏନ୍ଏସ୍ଡି ଜାତୀୟ ଡ୍ରାମା ସ୍କୁଲ୍ ରିପେରୋଟୋରୀ କମ୍ପାନୀର ମୁଖ୍ୟ ରାଜେଶ ସିଂହ ଏବଂ ସ୍କୁଲ୍ର ସହକାରୀ ପ୍ରଫେସର ଅରୁଣ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟ୍ୟ ମହୋତ୍ସବର ସ୍ଥାନୀୟ ସଂଯୋଜକ ତଥା ନାଟ୍ୟକାର ଓ ଅଭିନେତା ଭାସ୍କର ମହାପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆର୍ଏସପି ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥି ଏବଂ ପ୍ରମୁଖ ଉପସ୍ଥିତ ଥିଲେ।