ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ରାଉରକେଲାର ଜଣାଶୁଣା ସମାଜସେବୀ ତଥା ଶାନ୍ତିଦୂତ ଭାବେ ପରିଚିତ ମହମ୍ମଦ ଗିଆସଉଦ୍ଦିନଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି। ସେ ରାଉରକେଲାରେ ଗିଆସ ଚାଚା ଭାବେ ପରିଚିତ ଥିଲେ। ଭୁବନେଶ୍ୱର ସନସାଇନ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଗତକାଲି ରାତିରେ ତାଙ୍କ ମରଶରୀର ଆସି ରାଉରକେଲାରେ ପହଞ୍ଚିଥିଲା। ଆଜି ସକାଳେ ତାଙ୍କୁ ଶେଷ ଦର୍ଶନ କରିବାକୁ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚିଥିଲେ। କିଛିଦିନ ହେଲା ଗିଆସୁଦ୍ଦିନ ଅସୁସ୍ଥ ରହୁଥିଲେ। ରାଉରକେଲା ହାଇଟେକ ହସପିଟାଲରେ ଚିକିତ୍ସା ହେଉଥିଲେ। ପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ପଠା ଯାଇଥିଲା। ମହମ୍ମଦ ଗିଆସୁଦ୍ଦିନ ରାଉରକେଲା ଇଣ୍ଟିଗ୍ରେସନ ଫୋରମର ଫାଉଣ୍ଡର ମେମ୍ବର ଥିଲେ। ସେ ରାଉରକେଲା ଶାନ୍ତି କମିଟିର ମଧ୍ୟ ସକ୍ରିୟ ସଦସ୍ୟ ଥିଲେ। ସାମ୍ପ୍ରଦୟିକ ସଦ୍ଭାବନା ରକ୍ଷା କରିବା ଲାଗି ତାଙ୍କର ପ୍ରୟାସ ଅତୁଳନୀୟ ଥିଲା। ତାଙ୍କର ଧର୍ମ ନିରପେକ୍ଷତା ମନୋଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ତାଙ୍କ ମୃତ୍ୟୁରେ ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସମସ୍ତ ସଦସ୍ୟ ଏବଂ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନ ଗଭୀର ଶୋକ ପ୍ରକାଶ କରିଛନ୍ତି।