କୋଇଡା : ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।। ସ୍କୁଲ କ୍ଲର୍କ ଗିରଫ।। କୋର୍ଟ ଚାଲାଣ।

0 98

ସୁନ୍ଦରଗଡ଼ ଜିଲ୍ଲାରେ ଦଶମ ଶ୍ରେଣୀ ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ!
ବିଦ୍ୟାଳୟର ସହକାରୀ କିରାଣୀ ଗିରଫ, କୋର୍ଟ ଚାଲାଣ।

କୋଇଡା:୩/୧୦(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର ଜାମୁଢ଼ିହି ସ୍ଥିତ ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଏହି ଘଟଣାରେ ବିଦ୍ୟାଳୟର ଜଣେ ସହକାରୀ କିରାଣୀଙ୍କୁ ଗିରଫ କରିଛି କେ ବଲାଙ୍ଗ ଥାନା ପୁଲିସ। ଅଭିଯୁକ୍ତଙ୍କୁ ଶନିବାର ସୁନ୍ଦରଗଡ଼ କୋର୍ଟକୁ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଗଣେଶ ପୂଜା ଭସାଣି ପରେ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କୁ ଅଟକାଇ ସହକାରୀ କିରାଣୀ ଜିତେନ୍ଦ୍ର କୁମାର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଦ୍ୱୟ ପ୍ରଥମେ ଲୋକଲଜ୍ଜା ଭୟରେ ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ। ତେବେ ପୁଣି ଏଭଳି ଘଟଣା ଘଟିବା ପରେ ସେମାନେ ଘରେ ଅଭିଭାବକଙ୍କୁ ସମସ୍ତ କଥା ଜଣାଇଥିଲେ।
ଏହାପରେ ଛାତ୍ରୀଙ୍କ ଅଭିଭାବକ କେ ବଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।
ଏହି ଘଟଣାରେ କେବଲାଙ୍ଗ ଥାନାରେ କେସ୍ ନମ୍ବର ୨୨୪/୨୦୨୬ ରେ ପୋକ୍ସୋ ଆଇନର ଧାରା ୮ ଓ ୧୨ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ନେଇ ପୁଣି ପ୍ରଶ୍ନ ଉଠିଛି।

Leave A Reply

Your email address will not be published.