ରାଉରକେଲା ଏଆରପୋର୍ଟ ନିକଟ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୪ ଗିରଫ
ରାଉରକେଲା : ୩/୧୦
(ସତ୍ୟାନ୍ୟୁଜ) ରାଉରକେଲା ଏୟାରପୋର୍ଟ ଫିଲ୍ଡ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାରେ ପୋଲିସକୁ ସଫଳତା। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ଆଇଫୋନ୍ ଏବଂ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।
ଗତ ଅକ୍ଟୋବର ୧ ତାରିଖ ରାତି ପ୍ରାୟ ସାଢ଼େ ୮ଟା। ରାଉରକେଲା ଏୟାରପୋର୍ଟ ଫିଲ୍ଡ ନିକଟରେ ଦୁଇ ଜଣ ବାଇକରେ ଯାଉଥିବା ବେଳେ ସେମାନଙ୍କୁ ଟାର୍ଗେଟ୍ କରିଥିଲେ ୪ ଜଣ ଦୁର୍ବୃତ୍ତ।
ଲୁହା ରଡ୍ ଓ ଠେଙ୍ଗା ଦେଖାଇ ଉଭୟଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ। ଏହାପରେ ସେମାନଙ୍କଠାରୁ ଗୋଟିଏ ଆଇଫୋନ୍ ଏବଂ ନଗଦ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ।
ଏନେଇ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଆନନ୍ଦ ଦାସ ଅକ୍ଟୋବର ୨ ତାରିଖ ରାତିରେ ପୋଲିସରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମେଶ ପଣ୍ଡା (୪୩), ଆକାଶ ବଡ଼ାଇକ (୨୨), ମନୋଜ କୁମାର ଠାକୁର (୨୨) ଏବଂ ଚିଣ୍ଟୁ ରାୟ (୨୭)। ସମସ୍ତେ ସେକ୍ଟର-୧୫ ଥାନା ଅଞ୍ଚଳର ବାସିନ୍ଦା।
ପୋଲିସ ଅଭିଯୁକ୍ତମାନଙ୍କଠାରୁ ଲୁଟ୍ ହୋଇଥିବା ଆଇଫୋନ୍ ଓ ନଗଦ ଟଙ୍କା ଉଦ୍ଧାର କରିଛି।
ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।