ସୁନ୍ଦରଗଡ଼ : କାର ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା।। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।। ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
ସୁନ୍ଦରଗଡ଼ରେ କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।
ସୁନ୍ଦରଗଡ଼: ୨/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ୱେର ଭଜପୁର ନିକଟ ସର୍ଭିସ୍ ରୋଡ୍ରେ ଛିଡ଼ା ହୋଇଥିବା ଏକ କାର୍ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ରଙ୍ଗାଢିପା ଅଞ୍ଚଳର ଅଭିଜିତ ନାଏକ।
ସୂଚନା ଅନୁସାରେ, ବୁଧବାର ରାତିରେ ଅଭିଜିତ ଜଣେ ସାଙ୍ଗଙ୍କ ସହ ବାଇକ୍ରେ ଘରୁ ବାହାରିଥିଲେ। ତେବେ ଗୁରୁବାର ଦିନ ଏକ କାର୍ ଭିତରୁ ତାଙ୍କର ମୃତଦେହ ମିଳିବା ପରେ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।
ଅଭିଜିତଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ତେବେ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।