ରାଉରକେଲା: ୯ ଜଣ ପୋଲିସ୍ କର୍ମଚାରୀଙ୍କୁ ସମ୍ମାନିତ କଲେଡିଆଇଜି ଏବଂ ଏସପି।। ହଜି ଥିବା ଏବଂ ଚୋରି ମୋବାଇଲ୍ ଉଦ୍ଧାର ପାଇଁ ସମ୍ମାନିତ।
୫୨୫ଟି ହଜିଥିବା ଓ ଚୋରି ମୋବାଇଲ ଉଦ୍ଧାର, ୯ ପୋଲିସ କର୍ମଚାରୀ ସମ୍ମାନିତ
ରାଉରକେଲା, ସେପ୍ଟେମ୍ବର ୨୩, (ସତ୍ୟାନ୍ୟୁଜ୍) ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ ଫୋନ୍ ଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ବୈଷୟିକ ଦକ୍ଷତା ଓ ନିଷ୍ଠା ପାଇଁ ୯ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି।
ରାଉରକେଲା ଡିଆଇଜି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୱେଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଏସପି ନିତେଶ ୱାଧୱାନୀ ୯ ଜଣ ପୋଲିସ କର୍ମଚାରୀଙ୍କୁ ସାର୍ଟିଫିକେଟ୍ ଅଫ୍ ଆପ୍ରିସିଏସନ୍ ପ୍ରଦାନ କରିଥିଲେ।
ପୋଲିସର ତଥ୍ୟ ଅନୁସାରେ, ରାଉରକେଲା ପୋଲିସ ୧୮୮ଟି, ସୁନ୍ଦରଗଡ଼ ପୋଲିସ ୧୩୭ଟି ଏବଂ କେନ୍ଦୁଝର ପୋଲିସ ୨୦୦ଟି ମୋବାଇଲ ଫୋନ୍ ଉଦ୍ଧାର କରିଛି। ଅର୍ଥାତ୍ ୱେଷ୍ଟର୍ଣ୍ଣ ରେଞ୍ଜରେ ମୋଟ ୫୨୫ଟି ହଜିଥିବା ଓ ଚୋରି ମୋବାଇଲ ଫୋନ୍ ଉଦ୍ଧାର କରାଯାଇଛି।
ବୈଷୟିକ ଜ୍ଞାନ ଓ ତଦନ୍ତ କୌଶଳର ସଫଳ ବ୍ୟବହାର କରି ମୋବାଇଲଗୁଡ଼ିକୁ ଟ୍ରେସ୍ କରି ସେଗୁଡ଼ିକୁ ମାଲିକମାନଙ୍କୁ ଫେରାଇ ଦିଆଯାଇଛି।
ଏହି ଅବସରରେ ଡିଆଇଜି ବ୍ରିଜେଶ କୁମାର ରାୟ ପୋଲିସ କର୍ମଚାରୀଙ୍କ ନିଷ୍ଠା ଓ ଦକ୍ଷତାକୁ ପ୍ରଶଂସା କରିବା ସହ ଟେକ୍ନୋଲୋଜି ଆଧାରିତ ପୋଲିସିଂ ଦ୍ୱାରା ଲୋକଙ୍କୁ ଅଧିକ ଉନ୍ନତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ରାଉରକେଲା ଏସପି ନିତେଶ ୱାଧୱାନୀ ମଧ୍ୟ ସମ୍ମାନିତ ପୋଲିସ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପୋଲିସର ଏଭଳି ପଦକ୍ଷେପ ନାଗରିକଙ୍କ ହଜିଥିବା ମୂଲ୍ୟବାନ ସମ୍ପତ୍ତି ଫେରାଇବା ସହ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସକୁ ଆହୁରି ମଜବୁତ କରିଛି।