ରାଉରକେଲା ରେଳ ଷ୍ଟେସନ ଅଟୋ ଷ୍ଟାଣ୍ଡ ବିବାଦର ସମାଧାନ। ଆଜିଠାରୁ ସ୍ଥିତି ସ୍ୱାଭାବିକ। ଅଟୋ ଚାଳକଙ୍କ ସହ ଯାତ୍ରୀଙ୍କୁ ଆଶ୍ୱସ୍ତି।
ରାଉରକେଲା : ୧୯/୯
(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନ ଅଟୋ ଷ୍ଟାଣ୍ଡକୁ ନେଇ ଚାଲିଥିବା ବିବାଦର ଅବସାନ ହୋଇଛି। ତ୍ରିପାକ୍ଷିକ ଆଲୋଚନା ପରେ ଅଟୋ ଚାଳକଙ୍କ ସହ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ସହିତ ଅଟୋ ଚାଳକଙ୍କ ଧର୍ମଘଟ ମଧ୍ୟ ଶେଷ ହୋଇଛି।
ରାଉରକେଲା ରେଳ ଷ୍ଟେସନ ଅଟୋ ଷ୍ଟାଣ୍ଡର ସ୍ଥାୟିତ୍ୱକୁ ନେଇ ଶୁକ୍ରବାର ରାତିରେ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।
ସୁନ୍ଦରଗଡ଼ ଅଟୋ କର୍ମଚାରୀ ୟୁନିୟନ ଏବଂ ସିଟୁର ପଦକ୍ଷେପରେ ଅନୁଷ୍ଠିତ ଏହି ତ୍ରିପାକ୍ଷିକ ଆଲୋଚନାରେ ୟୁନିୟନ ସଭାପତି ବିମାନ ମାଇତି ଓ ମହାସଚିବ ଅଜୟ ଶର୍ମାଙ୍କ ନେତୃତ୍ୱରେ ଅଟୋ ଚାଳକମାନେ ଯୋଗ ଦେଇଥିଲେ।
ବୈଠକରେ ଷ୍ଟେସନ ମାଷ୍ଟର ଏଲ୍.ଡି. ତ୍ରିପାଠୀ, ସିଆଇ ଜିତେନ୍ଦ୍ର ପ୍ରଧାନ ଏବଂ ଆରପିଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଲୋଚନା ଅନୁଯାୟୀ, ଷ୍ଟେସନ ଅଟୋ ଷ୍ଟାଣ୍ଡରେ ନିଜ ଅଟୋ ରଖିବା ପାଇଁ ପ୍ରତ୍ୟେକ ଚାଳକଙ୍କୁ ବାର୍ଷିକ ୭୨୦ ଟଙ୍କା ଦେବାକୁ ପଡ଼ିବ।
ଏହା ବଦଳରେ ରେଳବାଇ ପକ୍ଷରୁ ଷ୍ଟାଣ୍ଡରେ ବିଜୁଳି ଓ ପାଣିର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଅଟୋ ଚାଳକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ ଏବଂ ଷ୍ଟେସନ ଅଟୋ ଭାବେ ସେମାନଙ୍କ ଗାଡ଼ିକୁ ସ୍ୱତନ୍ତ୍ର ପରିଚୟ ମିଳିବ।
ରାଉରକେଲା ରେଳ ଷ୍ଟେସନରେ ୧୫୦ରୁ ଅଧିକ ଅଟୋ ଚାଲୁଥିବା ଜଣାପଡ଼ିଛି।
ଏହି ଚୁକ୍ତି ପରେ ଷ୍ଟେସନରେ ଅଟୋ ଚାଳକଙ୍କ ଧର୍ମଘଟ ଶେଷ ହୋଇଛି। ଫଳରେ ଅଟୋ ଚାଳକଙ୍କ ଜୀବିକାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତାରେ ମଧ୍ୟ ବିରାମ ଲାଗିଛି। ଏହା ସହ ଯାତ୍ରୀ ମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି।