ଟ୍ରାଫିକ୍ ଗେଟ୍ ପାର୍କିଂରୁ ହେରୋଇନ ବେପାରୀ ଗିରଫ, ୧୮ ଗ୍ରାମ ହେରୋଇନ ଜବତ
ରାଉରକେଲା, ୮/୭:
(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବିଶ୍ୱସ୍ତ ସୂଚନା ଆଧାରରେ ପାଟ୍ରୋଲିଂ ସମୟରେ ଟ୍ରାଫିକ୍ ଗେଟ୍ ନିକଟ ଚାରିଚକିଆ ପାର୍କିଂ ଅଞ୍ଚଳରେ ଚଢ଼ାଉ କରି ୧୮ ଗ୍ରାମ ହେରୋଇନ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଅଭିଯୁକ୍ତ ମହମ୍ମଦ ଆଫତାବ ଗୋପବନ୍ଧୁପାଲ୍ଲୀ ୱାର୍ଡ ନଂ–୪ର ବାସିନ୍ଦା। ତାଙ୍କ ନିକଟରୁ ୧୮ ଗ୍ରାମ ହେରୋଇନ, ଏକ ହିରୋ କିପ୍ୟାଡ୍ ମୋବାଇଲ ଫୋନ୍ ଏବଂ ଏକ TVS Jupiter ସ୍କୁଟି (OD-14S-8918) ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବପିଢ଼ି, ବିଶେଷକରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରି ହେରୋଇନ ବିକ୍ରି କରୁଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ ଆଫତାବଙ୍କ ନାମରେ ପୂର୍ବରୁ ଚୋରି, ଡକାୟତି ଷଡଯନ୍ତ୍ର, ଆର୍ମ୍ସ ଆକ୍ଟ, OPG ଆକ୍ଟ ଏବଂ NDPS ଆଇନ ଅନ୍ତର୍ଗତ ଏକାଧିକ ମାମଲା ରହିଛି।
ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ହେରୋଇନ ଚୋରା କାରବାରର ମୂଳ ଚେର ଖୋଜିବା ସହ ଅନ୍ୟ ସଂପୃକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।