ଡାକ୍ତର ଦିବସରେ ଜୟପ୍ରକାଶ ହସ୍ପିଟାଲର ନିଆରା ପାଳନ — ୱାକାଥନ୍, ରକ୍ତଦାନ ଓ ଡାକ୍ତରଙ୍କୁ ସମ୍ମାନ
ରାଉରକେଲା:(ସତ୍ୟାନ୍ୟୁଜ) ଜାତୀୟ ଡାକ୍ତର ଦିବସ ଅବସରରେ ଜୟପ୍ରକାଶ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଆୟୋଜିତ ହୋଇଥିଲା ଏକାଧିକ ସାମାଜିକ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।
ସକାଳ ୬ଟା ୩୦ ମିନିଟ୍ରେ “ୱାକାଥନ୍” ମାଧ୍ୟମରେ ଫିଟନେସ୍ ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ଦିଆଯାଇଥିଲା। ହସ୍ପିଟାଲର ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ପ୍ରଶାସନିକ ଟିମ୍ ଏକାଠି ପଦଯାତ୍ରାରେ ସାମିଲ ହୋଇଥିଲେ। ଜୟପ୍ରକାଶ ହସ୍ପିଟାଲରୁ ଆରମ୍ଭ ହୋଇଥିବା ଏହି ରାଲି ବ୍ରାହ୍ମଣୀ ସେତୁ ଓ ସିଭିଲ ଟାଉନସିପ୍ ଦେଇ ପୁଣି ହସ୍ପିଟାଲକୁ ଫେରିଥିଲା। ଅଂଶଗ୍ରହଣକାରୀମାନେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ଧରି ସାଧାରଣ ଲୋକଙ୍କୁ ପ୍ରତିଦିନ ବ୍ୟାୟାମ କରିବାକୁ ଆହ୍ୱାନ କରିଥିଲେ।
ଏହାପରେ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ହସ୍ପିଟାଲର ଅନେକ କର୍ମଚାରୀ ରକ୍ତଦାନ କରି ମାନବସେବା ପ୍ରତି ନିଜର ଅଙ୍ଗୀକାର ପ୍ରକାଶ କରିଥିଲେ।
ସନ୍ଧ୍ୟା ୫ଟାରେ ଆୟୋଜିତ ସମ୍ମାନ ସମାରୋହରେ ଡାକ୍ତରମାନଙ୍କ ନିଷ୍ଠା, ସେବାଭାବ ଓ ଅବଦାନକୁ ସମ୍ମାନ ଜଣାଯାଇଥିଲା। ଏହି ଅବସରରେ ଡା. ୟୁ.ସି. ଜେନା ଏବଂ ଡା. କୌଶଲ୍ୟା ପ୍ରଧାନଙ୍କୁ ସେମାନଙ୍କର ବିଶିଷ୍ଟ ସେବା ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା।
ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ, ଡାକ୍ତରମାନେ ସମାଜର ମୂଳ ଭିତ୍ତିସ୍ତମ୍ଭ ଏବଂ ସେମାନଙ୍କର ସେବା କେବଳ ହସ୍ପିଟାଲ ମଧ୍ୟରେ ସୀମିତ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଅମୂଲ୍ୟ। ଶେଷରେ କେକ୍ କାଟି ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା।