ରାଉରକେଲା:୨/୭
(ସତ୍ୟାନ୍ୟୁଜ) ଗତକାଲି ଠାରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିବା ଡାକ୍ତର ମାନଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି।
୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ୍ ସେବା ସଂଘ ନେତୃତ୍ୱ ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ରୋଗୀ ମାନେ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି । କଟକ , ଭୁବନେଶ୍ୱର , ରାଉରକେଲା , ସମ୍ବଲପୁର ଭଳି ସହର ସହ ଏହାର ପ୍ରଭାବ ଗ୍ରାମାଞ୍ଚଳ ରେ ମଧ୍ୟ ପଡିଛି। ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଡାକ୍ତର ଙ୍କ ସଂଖ୍ୟା ଏମିତି କମ୍ ଥିବା ବେଳେ ଆନ୍ଦୋଳନ ଯୋଗୁ ସମସ୍ୟା ଦ୍ୱିଗୁଣିତ ହୋଇଛି। କେବଳ ଜରୁରୀ କାଳୀନ ସ୍ଥିତିରେ ରୋଗୀ ସେବା ଜାରି ରହିଛି।
କ୍ୟାଡ଼ର ପୁନର୍ଗଠନ , ଲେବଲ୍ ସ୍କେଲ୍ ପେ ୧୫ ର ଉଚ୍ଛେଦ , ସ୍ୱଚ୍ଛ ବଦଳି ନୀତି , ଡାକ୍ତରଙ୍କ ସୁରକ୍ଷା ଭଳି ଦାବିକୁ ନେଇ ଡାକ୍ତର ମାନେ ଅଡି ବସିଛନ୍ତି। ଚଳିତବର୍ଷ ଜାନୁଆରୀ ମାସରେ ଏସବୁ ଦାବି ନେଇ ଡାକ୍ତର ମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ କୁ ଦୃଷ୍ଟିରେ ରଖି ସରକାର ଏସମା ଲାଗୁ କରିଥିଲେ। ପରବର୍ତ୍ତୀ ସମୟରେ ସରକାର ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଦାବିର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରା ଯାଉଥିଲା। ମାତ୍ର କମିଟିର ଗୋଟିଏ ଭି ବୈଠକ ବସି ନଥିବା ଅଭିଯୋଗ କରିଛି ଓମସା। ନିକଟରେ ରାଜ୍ୟ ସରକାରଙ୍କ ସହ ଓମସା ପ୍ରତିନିଧି ଙ୍କ ଆଲୋଚନା ବିଫଳ ହେବା ପରେ ଗତକାଲି ଠାରୁ ଡାକ୍ତରଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି।