୧୦ ଦଫା ଦାବି ନେଇ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ: ଆରଜିଏଚ୍ରେ ପ୍ରଭାବିତ ରୋଗୀ ସେବା, ଓପିଡିରେ ଝୁଲିଲା ତାଲା
ରାଉରକେଲା, ୧ ଜୁଲାଇ (ସତ୍ୟନ୍ୟୁଜ): ଦୀର୍ଘ ଦିନ ଧରି ଉପସ୍ଥାପିତ ହୋଇଆସୁଥିବା ୧୦ ଦଫା ଦାବି ପୂରଣ ଦାବିରେ ରାଜ୍ୟବ୍ୟାପୀ ସରକାରୀ ଡାକ୍ତରମାନେ ବୁଧବାରଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପରି ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)ରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ଆନ୍ଦୋଳନ ଯୋଗୁଁ ବାହ୍ୟ ରୋଗୀ ସେବା (ଓପିଡି) ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଜରୁରୀକାଳୀନ ସେବା ସ୍ୱାଭାବିକ ଭାବେ ଚାଲୁ ରହିଛି।
ଆନ୍ଦୋଳନ କାରଣରୁ ମେଡିସିନ, ଚର୍ମରୋଗ (ସ୍କିନ), ବିଭିନ୍ନ ବିଶେଷଜ୍ଞ ବିଭାଗ ଓ ପାଥୋଲୋଜି ସମ୍ବନ୍ଧୀୟ ସେବା ବନ୍ଦ ରହିଥିଲା। ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତରଙ୍କ ଚେମ୍ବରରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଫଳରେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନିରାଶ ହୋଇ ଏଣେତେଣେ ବୁଲୁଥିବା ଦେଖାଯାଇଥିଲା।
ବିଶେଷକରି ଯେଉଁ ରୋଗୀମାନେ ଆନ୍ଦୋଳନ ସମ୍ପର୍କରେ ପୂର୍ବରୁ ଅବଗତ ନଥିଲେ, ସେମାନେ ଡାକ୍ତରଙ୍କୁ ନପାଇ ହଇରାଣ ହେବା ସହ ଚିକିତ୍ସା ସେବାରୁ ବଞ୍ଚିତ ହୋଇଥିଲେ। ସାଧାରଣ ଦିନ ତୁଳନାରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଥିବା ପରିଲକ୍ଷିତ ହୋଇଥିଲା।
ତେବେ ଡାକ୍ତରଙ୍କ ଆନ୍ଦୋଳନ ସତ୍ତ୍ୱେ ଜରୁରୀକାଳୀନ ସେବା, ଆଡମିଟ୍ ରୋଗୀଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସ୍ୱାଭାବିକ ଭାବେ ଜାରି ରହିଥିଲା।
ଏ ସମ୍ପର୍କରେ ଆରଜିଏଚ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ଡାକ୍ତରମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହସ୍ପିଟାଲ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଏବଂ ଗୁରୁତର ରୋଗୀଙ୍କ ଚିକିତ୍ସାରେ କୌଣସି ବାଧା ସୃଷ୍ଟି ହେବାକୁ ଦିଆଯିବ ନାହିଁ। ରୋଗୀ ସେବା ଯଥାସମ୍ଭବ ସ୍ୱାଭାବିକ ରଖିବାକୁ ହସ୍ପିଟାଲ ପ୍ରଶାସନ ସମସ୍ତ ପ୍ରୟାସ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି