କୋଭିଡ ମହାମାରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ରାଜ୍ୟବ୍ୟାପୀ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଉରକେଲା ସହରବାସୀଙ୍କ ପାଇଁ ନଭେମ୍ବର ୩ରୁ ଏହି ସୁବିଧା ଆରମ୍ଭ ହୋଇଛି। ଏହି ସହାୟତା ପାଇବା ପାଇଁ ମୃତକଙ୍କ ପରିବାର ବର୍ଗ ଅନଲାଇନ କିମ୍ବା ଅଫଲାଇନରେ ଆବେଦନ କରିପାରିବେ। ଏହାଛଡ଼ା ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ‘ମୋ ସରକାର’ ବିଭାଗକୁ ଆସି ସିଧାସଳଖ ଆବେଦନ କରିପାରିବେ।
ଏହି ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କରାଯାଇଛି। ଏହାର ନାଁ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍ସ ପେମେଣ୍ଟ ସିଷ୍ଟମ’ (ସିପିଏସ୍)। ତେଣୁ କୋଭିଡ ମୃତକଙ୍କ ପରିବାର ଲୋକେ caps.odisha.gov.in କୁ ଯାଇ ଆବେଦନ କରିପାରିବେ। ଆବଶ୍ୟକ କାଗପତ୍ର ଯାଞ୍ଚ କରିବା ପରେ ଜିଲ୍ଲାପାଳଙ୍କ ଜରିଆରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ମୃତକଙ୍କ ସମ୍ପର୍କିୟଙ୍କୁ ଡିବିଟି ଜରିଆରେ ଟଙ୍କା ପଠାଇ ଦିଆଯିବ।
ଆବେଦନର ୩୦ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଯାଞ୍ଚ କରି ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫଣ୍ଡ୍ ମାଧ୍ୟମରେ ଜିଲ୍ଲାପାଳ ମୃତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବେ। ଏଥିପାଇଁ ଜିଲ୍ଲାସ୍ତରରେ ସହକାରୀ ଜିଲ୍ଲାପାଳ କୁନ୍ତୀରାଣୀ ନାଏକଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ଅଧିକ ସୂଚନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି ନମ୍ବର ୧୫୫୩୩୫ରେ ଯୋଗାଯୋଗ କରିପାରିବେ।