ରାଉରକେଲା : ମହାନଗର ନିଗମ କାର୍ଯ୍ୟାଳୟ ସମେତ ୮ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ସୌର ପ୍ରକଳ୍ପ ସ୍ଥାପନ।। ପ୍ରଦୂଷଣ ମୁକ୍ତ ସହର ଗଠନ ନେଇ ପ୍ରୟାସ।

0 362

ପ୍ରଦୂଷଣମୁକ୍ତ ରାଉରକେଲା ଗଠନ ଲକ୍ଷ୍ୟ ନେଇ ଆରଏମସିର ଅଭିନବ ପ୍ରୟାସ
ଆରଏମସି ମୁଖ୍ୟ କାର୍ଯ୍ୟାଳୟ ସମେତ ୮ଟି ୟୁପିଏଚସିରେ ସୌର ପ୍ରକଳ୍ପ ସ୍ଥାପନ

ରାଉରକେଲା : ୨୫ /୭(ସତ୍ୟାନ୍ୟୁଜ) ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କ ତରଫରୁ ସବୁଜ ତଥା ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଦେଶରେ ସ୍ଵଚ୍ଛ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ସୌରଶକ୍ତି ଓ ପବନ ଶକ୍ତି ଭଳି ନବୀକରଣ ଯୋଗ୍ୟ ବିକଳ୍ପ ଶକ୍ତି ଉତ୍ସର ପ୍ରକଳ୍ପ ଉପରେ ଗୁରୁତ୍ଵ ଦିଆଯାଉଛି। ଏହି କ୍ରମରେ ରାଉରକେଲା ମହାନଗର ନିଗମ ତରଫରୁ ସୌରଶକ୍ତିର ବ୍ୟବହାର କରି ଦୈନନ୍ଦିନର ବିଜୁଳି ଚାହିଦା ପୂରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି।ସବୁଜ ଶକ୍ତିର ବ୍ୟବହାରକୁ ପ୍ରାଧାନ୍ୟ ଦେବାକୁ ଯାଇ ଆରଏମସି ମୁଖ୍ୟ କାର୍ଯ୍ୟାଳୟ ସମେତ ସହରରେ ଥିବା ୮ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଛି।

ବର୍ତ୍ତମାନ ସମୟରେ ସୂର୍ଯ୍ୟଙ୍କ ଶକ୍ତିକୁ ଆଧାର କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ଉପରେ ସବୁଆଡ଼େ ପ୍ରାଥମିକତା ଦିଆଯାଉଛି। ଏହି କ୍ରମରେ ସୌରଶକ୍ତି ଭଳି ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରି ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ନିମନ୍ତେ ମହାନଗର ନିଗମ ପଦକ୍ଷେପ ନେଇଛି। ପ୍ରାଥମିକ ପର୍ଯ୍ୟାୟରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମେତ ଛେଣ୍ଡ, ମହାତବ ରୋଡ଼, ସେକ୍ଟର ୬ ଓ ୨୨, ପାନପୋଷ, ଗୋପବନ୍ଧୁପାଲ୍ଲୀ, ତିଲକା ନଗର, ବାସନ୍ତୀ କଲୋନୀ ସ୍ଥିତ ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ସ୍ଥାପନ କରାଯାଇଛି। ଏଥିରୁ ଉତ୍ପାଦନ ହେଉଥିବା ବିଦ୍ୟୁତକୁ ଗ୍ରୀଡକୁ ପ୍ରଦାନ କରାଯିବା ଫଳରେ ବିଦ୍ୟୁତ ଶୁଳ୍କ ମୂଲ୍ୟରେ ୩୦-୫୦ ପ୍ରତିଶତ ରିହାତି ମିଳିଛି। ଯାହା ଫଳରେ ବିଦ୍ୟୁତ ଶୁଳ୍କ ପରିମାଣ ମଧ୍ୟ ହ୍ରାସ ପାଇଛି।

ଏ ସମ୍ପର୍କରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି ଯେ, “ଭାରତ ସରକାର ଦୀର୍ଘ ସ୍ଥାୟୀ ବିକାଶ ପାଇଁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଉପରେ ଗୁରୁତ୍ଵ ଦେଉଥିବା ବେଳେ ରାଉରକେଲା ମହାନଗର ନିଗମ ମଧ୍ୟ ସେ ଦିଗରେ ଅଗ୍ରସର ହେଉଛି। ଆଜି ପରିବେଶ ଅନୁକୂଳ ସୌରଶକ୍ତିର ବ୍ୟବହାର ଦ୍ଵାରା ବିଦ୍ୟୁତ୍ ଶୁଳ୍କ ଅନେକ ପରିମାଣରେ ହ୍ରାସ ପାଇଛି। ଭବିଷ୍ୟତରେ ଅନ୍ୟ କେତେକ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ କହିବା ସହ ସ୍ଵଚ୍ଛ ଓ ସବୁଜ ରାଉରକେଲାର ଲକ୍ଷ୍ୟ ହାସଲ ଦିଗରେ ଏହି ସୌର ପ୍ରକଳ୍ପ ଆଗାମୀ ଦିନରେ ବିଶେଷ ସହାୟକ ହେବ।”

ତାପଜ ତଥା ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଉପରେ ନିର୍ଭରଶୀଳତା କମାଇବା ଲାଗି ବିଶ୍ଵ ସମୁଦାୟ ଗୁରୁତ୍ଵ ଦେଉଥିବା ବେଳେ ରାଉରକେଲା ମହାନଗର ନିଗମର ଏହି ଅଭିନବ ପ୍ରୟାସ ଆଜି ଅନେକାଂଶରେ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ସୌରଶକ୍ତିରୁ ଉତ୍ପନ୍ନ ବିଦ୍ୟୁତ୍ ଶକ୍ତିର ବ୍ୟବହାର ଆଜି ବିଦ୍ୟୁତ୍ ଶୁଳ୍କ ହ୍ରାସ କରିଛି ତାହା ନୁହେଁ, ବରଂ ଏହି ସ୍ଵଚ୍ଛ ଶକ୍ତିର ବ୍ୟବହାର ଦ୍ଵାରା ଏକ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ରାଉରକେଲା ଗଠନ ଦିଗରେ ରାଉରକେଲା ମହାନଗର ନିଗମ ଆଉ ଗୋଟିଏ ପାଦ ଅଗ୍ରସର ହୋଇଛି।

Leave A Reply

Your email address will not be published.