ରାଉରକେଲା : ୧୪/୭ (ସତ୍ୟାନ୍ୟୁଜ) ଚାଷ ଜମିକୁ ପାଣି ଯୋଗାଇ ଦେବାପାଇଁ ନିର୍ମାଣ କରାଯାଇଥିଲା ମେଗା ଜଳ ସେଚନ ପ୍ରକଳ୍ପ ରେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ । ପାଣି ଆସୁ ନଥିବାରୁ ଏପରି ଚରମ ପଦକ୍ଷେପ ନେଇଛନ୍ତି ସ୍ଥାନୀୟ ଚାଷୀ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାତକୁଟା ଠାରେ ଅଛି ଏହି ପ୍ରକଳ୍ପ। ରାଜ୍ୟ ଜଳ ସମ୍ପଦ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ଉଠା ଜଳସେଚନ ପ୍ରକଳ୍ପ ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ନିର୍ମାଣ କରାଯାଇଥିଲା। ମାତ୍ର ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉ ନଥିବାରୁ ଜମିକୁ ପାଣି ମଡା ଯାଇ ପାରୁନାହିଁ। ଫଳରେ ଜଳ ଅଭାବରୁ ଜମି ଫାଟି ଆଁ କରିଛି। ବାରମ୍ବାର ଅଭିଯୋଗ ସ୍ଵତ୍ତେ ସମସ୍ୟାର ସମାଧାନ ହୋଇ ପାରୁନଥିବାରୁ ଆଜି ସ୍ଥାନୀୟ ଚାଷୀ ମାନେ ପ୍ରକଳ୍ପ ଗେଟ୍ ରେ ତାଲା ପକାଇ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଉଠା ଜଳ ସେଚନ ମାଧ୍ୟମରେ ପାଣି ଯୋଗାଇ ଦିଆ ନଯାଇଛି ସେପର୍ଯ୍ୟନ୍ତ ତାଲା ବନ୍ଦ ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟ ପକ୍ଷରେ ନଦୀରେ କମ ପାଣି ଥିବାରୁ ମଟର ଯୋଗେ ପାଣି ଉଠା ଯାଇ ପାରୁ ନଥିବା ଜଳସେଚନ ପ୍ରକଳ୍ପ କର୍ମଚାରୀ କହିଛନ୍ତି।