ରାଉରକେଲା : କୋଇଡା ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ।। ମୃତକଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ଯୁବତୀ।
ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ) ଘରେ ଆଉ ୧୦ ମିନିଟ ରେ ପହଞ୍ଚି ଥାଆନ୍ତେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଦୁର୍ଘଟଣା ରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ମଧ୍ୟ ଅଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ। ଗୋଟିଏ ପରିବାରର ୭ ଜଣ ସଦସ୍ୟ ଏକ ସ୍କ୍ରୋପିଓ ଗାଡ଼ିରେ କୋଇଡା ରୁ ଭୋଜି ଖାଇବାକୁ କେଉଁଝର ଯାଇଥିଲେ। ଭୋଜି ରେ ଯୋଗ ଦେଇ ଫେରିବା ବେଳେ କୋଇଡା ଥାନାର ରେଙ୍ଗାଲବେଡା ଛକ ନିକଟରେ ଏକ ହାଇୱା ଟ୍ରକ୍ ସ୍କ୍ରପିଓ କୁ ପିଟି ଦେଇଥିଲା। ଘଟଣା ସ୍ଥଳରେ ଜଣେ ଯୁବତୀଙ୍କ ସମେତ ୨ ଜଣ ନାବାଳକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଂଚ ଅଛନ୍ତି। ଦୁର୍ଘଟଣା ରାତି ପ୍ରାୟ ୨ଟା ବେଳେ ହୋଇଛି। ଖବର ପାଇ ପୋଲିସ ଏବଂ ଫାୟର
ବ୍ରିଗେଡ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ଏହି ଘଟଣାରେ କୋଇଡା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। କୋଇଡା ଅଞ୍ଚଳର ରାଜପଥ କଡ଼ରେ ବେଆଇନ ଭାବେ ଭାରି ଯାନ ପାର୍କିଂ ହେଉଥିବା ରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।