ରାଉରକେଲା : ବେଦବ୍ୟାସ ଅଞ୍ଚଳ ରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଜନ ଶୁଣାଣି।। ଜଳ ନିଷ୍କାସନ, ଷ୍ଟ୍ରିଟ ଲାଇଟ୍ , ରାସ୍ତା ନିର୍ମାଣ ଉପରେ ଗୁରୁତ୍ବ।
ରାଉରକେଲା : ୯/ ୭ ସତ୍ୟାନ୍ୟୁଜ): ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ମଙ୍ଗଳବାର ସ୍ଥାନୀୟ ବୁରୁଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏଥିରେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
ମଙ୍ଗଳବାର ଅନୁଷ୍ଠିତ ଏହି ଜନଶୁଣାଣିରେ ମୋଟ ୯୯ଟି ଅଭିଯୋଗ ଆସିଥିଲା। ଏଥିରେ ୱାର୍ଡ ନମ୍ବର ୧ ଓ ୨ ଅଧୀନରେ ଥିବା ବ୍ରାହ୍ମଣୀ ତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ବୁରୁଟୋଲା, ଗୋପାପଲ୍ଲୀ, ସିଂହଟୋଲା, ନଦୀଟୋଲାର ଅଭିଯୋଗକାରୀ ବିଭିନ୍ନ ସମସ୍ୟା ନେଇ ଆସିଥିଲେ। ସେଥିମଧ୍ୟରେ ମୁଖ୍ୟତଃ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ ଓ ସଂଯୋଗୀକରଣ, ଅଙ୍ଗନବାଡ଼ି ନିର୍ମାଣ, ପାନୀୟ ଜଳ ଯୋଗାଣ, ଖେଳ ପଡ଼ିଆ ନିର୍ମାଣ, ଜମି ସମସ୍ୟା, ରାସନ କାର୍ଡ, ଦିବ୍ୟାଙ୍ଗ କାର୍ଡ, ଭତ୍ତା ସମସ୍ୟା ଅନ୍ତର୍ଭୁକ୍ତ ଥିଲା ।
ଏହି ଜନଶୁଣାଣିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଜନଶୁଣାଣିର ବିଭିନ୍ନ ଅଭିଯୋଗକୁ ଆଧାର କରି କମିଶନର ଆଶୁତୋଷ କମିଶନର ଆଶୁତୋଷ କୁଲକର୍ଣ୍ଣି ସ୍ଥିତି ପରଖିବାକୁ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ସେ ୱାର୍ଡ ନଂ ୧ ଓ ୨ ଅଧିନରେ ଥିବା ବୁରୁଟୋଲା, ସିଂହଟୋଲା ଓ ନଦୀଟୋଲା ଅଞ୍ଚଳ ଗସ୍ତ କରି ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେ ବେଦବ୍ୟାସ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନରେ କରି ସେଠାରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।