ପୁରୀ : ଅଲାରନାଥରେ ଲାଗି ରହିଛି ଭକ୍ତଙ୍କ ପ୍ରବଳ ଭିଡ।। ସୁରୁଖୁରୁରେ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା।
ପୁରୀ : ୧/୭ (ସତ୍ୟାନ୍ୟୁଜ) ଆଷାଢ଼ ମାସ କୃଷ୍ଣପକ୍ଷ ସ୍ନାନଯାତ୍ରା ପରେ ଅଲାରନାଥରେ ହୁଏ ଭକ୍ତଙ୍କ ପ୍ରବଳ ଭିଡ। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ବିଗ୍ରହ ଅଣବସରରେ ଥିବାରୁ ଭକ୍ତ ଯାଇଥାନ୍ତି ଅଲାରନାଥ ଦର୍ଶନ କରିବାକୁ। ପୁରାଣ ଅନୁଯାୟୀ ଚୈତନ୍ୟ ମହାପ୍ରଭୁ ପୁରୀ ଆସିଥିବା ବେଳେ ପ୍ରତିଦିନ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। କିନ୍ତୁ ସ୍ନାନ ଯାତ୍ରା ପରେ ଚତୁର୍ଦ୍ଧା ମୂର୍ତ୍ତି ଅଣବସରରେ ଥିବାରୁ ସେ ଦର୍ଶନ କରି ପାରିଲେ ନାହିଁ। ପରେ ଜଗନ୍ନାଥଙ୍କ ସ୍ୱପ୍ନାଦେଶ କ୍ରମେ ଚୈତନ୍ୟ ମହାପ୍ରଭୁ ଅଲାରନାଥ ଯାଇଁ ଦର୍ଶନ କଲେ। ଏହି ସମୟରେ ଅଲାରନାଥ ଦର୍ଶନ ଜଗନ୍ନାଥଙ୍କ ଦର୍ଶନ ସହ ସମାନ। ପୁରୀ ଠାରୁ ମାତ୍ର ୨୩ କିଲୋମିଟର ଦୂର ବ୍ରହ୍ମଗିରି ଠାରେ ଏହି ମନ୍ଦିର ରହିଛି। ଆଜି ଅଣବସରର ସପ୍ତମ ଦିନରେ ମଧ୍ୟ ଏଠାରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି। ଶାନ୍ତି ଶୃଙ୍ଖଳା ସହ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ଏବଂ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।