ରାଉରକେଲା : ମାଲଗୋଦାମ ଛକ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଗିରଫ।। ଖଣ୍ଡା, ହକି ଷ୍ଟିକ୍ ଜବତ।। ୨ ଅଭିଯୁକ୍ତ ଫେରାର।
ମାଲଗୋଦାମ ଛକରେ ପୁରୁଣା ଶତ୍ରୁତାକୁ ନେଇ ଖଣ୍ଡା ଓ ହକି ଷ୍ଟିକ୍ରେ ମରଣାନ୍ତକ ଆକ୍ରମଣ, ୨ ଆହତ
ବନ୍ଧୁକ ଦେଖାଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ; ଜଣେ ଗିରଫ, ଖଣ୍ଡା, ହକି ଷ୍ଟିକ୍ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ, ଆଉ ୨ ଅଭିଯୁକ୍ତ ଫେରାର
ରାଉରକେଲା, ୨୩/୧୧ (ସତ୍ୟାନ୍ୟୁଜ୍): ରାଉରକେଲା ସହରର ମାଲଗୋଦାମ ଛକରେ ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ରବିବାର ରାତିରେ ଘଟିଛି ଏକ ଭୟଙ୍କର ଆକ୍ରମଣ ଘଟଣା। ପୁରୁଣା ବିବାଦର ସମାଧାନ କରିବା ବାହାନାରେ ଜଣେ ଯୁବକଙ୍କୁ ଡାକି ନେଇ ଖଣ୍ଡା, ହକି ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ଅସଲମ ଓ ଅରବାଜ ନାମକ ଦୁଇ ଯୁବକ ପୁରୁଣା ବିବାଦର ସମାଧାନ କରିବା ପାଇଁ ଆଲୋଚନାର ବାହାନା କରି ଅଖତରଙ୍କୁ ମାଲଗୋଦାମ ଛକକୁ ଡାକିଥିଲେ। ଅଖତର ଛକ ନିକଟସ୍ଥ ପୋଲିସ ବିଟ୍ ହାଉସ୍ ପାଖରେ ଥିବା ଏକ ଦୋକାନ ନିକଟରେ ପହଞ୍ଚିବା ମାତ୍ରେ ପୂର୍ବରୁ ଛକି ରହିଥିବା ଅସଲମ, ଅରବାଜ ଓ ସେମାନଙ୍କ ସହଯୋଗୀମାନେ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ଏହି ସମୟରେ ଅଖତରଙ୍କ ପରିଚିତ ବଣ୍ଟି ସାହୁ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ପଛପଟୁ ଆକ୍ରମଣ କରି ତାଙ୍କୁ ଆହତ କରିଥିଲେ।
ଅଖତର ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ଜଣେ ଆକ୍ରମଣକାରୀ ତାଙ୍କ କପାଳରେ ରିଭଲଭର ଲଗାଇ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା। ତେବେ ବନ୍ଧୁକରୁ ଗୁଳି ଫୁଟି ନଥିଲା। ବଣ୍ଟି ସାହୁଙ୍କ ସମୟୋଚିତ ହସ୍ତକ୍ଷେପ ଯୋଗୁଁ ତାଙ୍କ ଜୀବନ ବଞ୍ଚିଥିବା ଅଖତର ଅଭିଯୋଗ କରିଛନ୍ତି।
ଆକ୍ରମଣ ପୂର୍ବରୁ ଦୁର୍ବୃତ୍ତମାନେ ରାସ୍ତାକଡ଼ରେ ଥିବା ଗୋଡ଼ି ଗଦା ମଧ୍ୟରେ ଖଣ୍ଡା, ହକି ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଲୁଚାଇ ରଖିଥିଲେ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ଦେଖି ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଖବର ପାଇ ଉଦିତନଗର ଥାନା ଆଇଆଇସି ପି.ଏସ୍. ସିଂହ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରି ଆକ୍ରମଣରେ ବ୍ୟବହୃତ ଖଣ୍ଡା, ହକି ଷ୍ଟିକ୍ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଉଦିତନଗର ଥାନାରେ ପହଞ୍ଚିଥିଲେ। ପୋଲିସ ଆହତଙ୍କ ଡାକ୍ତରୀମାଇନା କରାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆକ୍ରମଣ ପଛର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି।