ରାଜଗାଙ୍ଗପୁର :୨୩/୧୧
(ସତ୍ୟାନ୍ୟୂଜ) ରାଜଗାଙ୍ଗପୁର ପୋଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଜୀବନ ରକ୍ଷା କରାଯାଇ ପାରିଛି। ପ୍ରାୟ ୫୦ ଫୁଟ ଉଚ୍ଚ ଜଳସେଚନ ବିଭାଗର କେନାଲ ବ୍ରିଜ୍ ଉପରେ ବିପଜ୍ଜନକ ଅବସ୍ଥାରେ ବସିଥିବା ବାଳିକାଙ୍କୁ ଉଦ୍ଧାର କରିଛି ରାଜଗାଙ୍ଗପୁର ପୋଲିସ ଓ ଅଗ୍ନିଶମ ବାହିନୀ।
ଶନିବାର ପଦା ଜାମପାଲି ନିକଟରେ ଏହି ଘଟଣା ଘଟିଥିଲା। ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ତୁରନ୍ତ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତ୍ୟନ୍ତ ସତର୍କତାର ସହ ବାଳିକାଙ୍କ ନିକଟରେ ପହଞ୍ଚି ଅଗ୍ନିଶମ ବାହିନୀର ସହଯୋଗରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, ମୋବାଇଲ୍ ଫୋନ୍କୁ ନେଇ ପରିବାରରେ ହୋଇଥିବା ବିବାଦ ପରେ ନାବାଳିକା ଜଣକ ବ୍ରିଜ୍ ଉପରକୁ ଚଢ଼ିଯାଇଥିବା କୁହାଯାଉଛି।
ଉଦ୍ଧାର ପରେ ପୋଲିସ ନାବାଳିକାଙ୍କୁ କାଉନସେଲିଂ କରିବା ସହ ସୁରକ୍ଷିତ ଭାବେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ରାଜଗାଙ୍ଗପୁର ପୋଲିସ ଓ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ, ସାହସିକତା ଓ ସମନ୍ୱିତ ଉଦ୍ୟମ ଯୋଗୁଁ ଟଳିଗଲା ଏକ ବଡ଼ ଅଘଟଣ। ଏହି ମାନବିକତାପୂର୍ଣ୍ଣ ଉଦ୍ୟମ ପାଇଁ ରାଜଗାଙ୍ଗପୁର ପୋଲିସକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।
ସଙ୍କଟ ସମୟରେ ପୋଲିସର ସମୟୋଚିତ ପଦକ୍ଷେପ ଓ ମାନବିକତାର ଏକ ପ୍ରଶଂସନୀୟ ଉଦାହରଣ।